ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ଘଟଣା ପରବର୍ତ୍ତୀ ସମୟରେ କାନାଡାରୁ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ଶିଖ୍ସ୍ ଫର ଜଷ୍ଟିସ ପକ୍ଷରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପତ୍ର ଲେଖାଯାଇଥିଲା । ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପାନ୍ନୁନ ଏହି ପତ୍ର ଲେଖି ନିଜ୍ଜାର ହତ୍ୟା ଘଟଣାରେ କାନାଡାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମାଙ୍କର ଭୂମିକା ରହିଥିବା ଅଭିଯୋଗ ଆଣିଥିଲେ । ସମ୍ପ୍ରତି ନୂଆଦିଲ୍ଲୀ ଏବଂ ଓଟ୍ଟାୱା ମଧ୍ୟରେ ସମ୍ପର୍କ ତିକ୍ତ ହେବା ସହିତ କୂଟନୈତିକ ବିବାଦ ତୀବ୍ର ହେବାପରେ ଏହି ଘଟଣା ସର୍ବସମ୍ମୁଖକୁ ଆସିଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ବିଷୋଦ୍ଗାର କରିବାରେ ଲାଗିଛନ୍ତି । ନିଜ୍ଜାରଙ୍କ ହତ୍ୟା ଘଟଣାରେ ଭାରତର ହାତ ରହିଥିବା ସେ ସର୍ବସାଧାରଣରେ ଅଭିଯୋଗ କରିଛନ୍ତି । ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ କୂଟନୀତିଜ୍ଞ ଶ୍ରୀ ବର୍ମା ଏବଂ ଅନ୍ୟ କେତେକ ଅଧିକାରୀଙ୍କୁ ତଦନ୍ତ ନିମନ୍ତେ ଡକାଯିବା ପରେ ପରିସ୍ଥିତି ଜଟିଳ ହୋଇପଡିଛି । ତାହାର ପ୍ରତିଜବାବରେ ଭାରତ ତାହାର କୂଟନୀତିଜ୍ଞ ଶ୍ରୀ ବର୍ମାଙ୍କୁ କାନାଡାରୁ ପ୍ରତ୍ୟାହାର କରିଆଣିବା ସହିତ ନୂଆଦିଲ୍ଲୀରେ ଅବସ୍ଥାପିତ ଛଅଜଣ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି । ଶିଖ୍ସ୍ ଫର ଜଷ୍ଟିସ ପକ୍ଷରୁ ନିଜ୍ଜାରଙ୍କୁ ଜଣେ ଆଇନ ଅନୁପାଳନକାରୀ ଏବଂ ଶାନ୍ତିପ୍ରିୟ କାନାଡା ନାଗରିକ ଭାବରେ ବର୍ଣ୍ଣନା କରାଯାଇଛି ।
ଅନ୍ୟପକ୍ଷରେ ଜଷ୍ଟିନଙ୍କର ଏଭଳି କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଛନ୍ତି ଦେଶର ବିରୋଧୀ କଞ୍ଜରଭେଟିଭ ନେତା ପିଏର ପୋଲିଭ୍ରେ । ସେ କହିଛନ୍ତି ଟ୍ରୁଡୁ୍ୟଙ୍କ ନେତୃତ୍ୱ ବିରୋଧରେ ବିଦ୍ରୋହ ହେଉଥିବାବେଳେ ସେଥିରୁ ଦୃଷ୍ଟି ଫେରାଇବାକୁ ସେ ଭାରତ ବିରୁଦ୍ଧରେ ଏଭଳି ମିଥ୍ୟା ନାଟକ ରଚନା କରିଛନ୍ତି । ବିଦେଶୀ ହସ୍ତକ୍ଷେପରେ କଞ୍ଜରଭେଟିଭ ପାର୍ଟିର ସାଂସଦ ସମ୍ପୃକ୍ତ ଥିବାବେଳେ ଟ୍ରୁଡ୍ୟୁ ଅଭିଯୋଗ ଆଣିଥିବାବେଳେ ଉକ୍ତ ସାଂସଦମାନଙ୍କ ନାମ ପ୍ରକାଶ କରିବାକୁ ପିଏର ଆହ୍ୱାନ ଦେଇଛନ୍ତି । ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦୁଇଟି ଲଗାତର ନିର୍ବାଚନରେ ତାଙ୍କୁ ସହାୟତା କରିବା ନିମନ୍ତେ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଟ୍ରୁଡୁ୍ୟ ଚୀନକୁ ଅନୁମତି ଦେଇଥିଲେ ।