ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ଗୋଟିଏ ଦିନ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଝାଡଖଣ୍ଡରେ ଦୁଇ ପର୍ଯ୍ୟାୟରେ ମତଦାନ କରାଯିବ । ଆୟୋଗଙ୍କ ଘୋଷଣା ଅନୁଯାୟୀ ମହାରାଷ୍ଟ୍ରରେ ନଭେମ୍ବର ୨୦ ଏବଂ ଝାଡଖଣ୍ଡରେ ନଭେମ୍ବର ୧୩ ଓ ୨୦ ତାରିଖରେ ଭୋଟ ଗ୍ରହଣ ହେବ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ପକ୍ଷରୁ କୁହାଯାଇଛି ଯେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ଏବଂ ୮୧ ଆସନ ବିଶିଷ୍ଟ ଝାଡଖଣ୍ଡରେ ନଭେମ୍ବର ୨୩ରେ ଭୋଟଗଣତି କରାଯିବ । ଝାଡଖଣ୍ଡ ବିଧାନସଭାରେ ମୋଟ ୮୨ ଆସନ ଥିବାବେଳେ ୮୧ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି ଏବଂ ଜଣଙ୍କୁ ମନୋନୀତ କରାଯାଉଛି । ମହାରାଷ୍ଟ୍ରରେ ଏକନାଥ ସିନେ୍ଦଙ୍କ ଶିବ ସେନା ଏବଂ ଅଜିତ ପୱାରଙ୍କ ନେତୃତ୍ୱାଧୀନ ଏନସିପି ମେଣ୍ଟ ସରକାର ରହିଛି । ଅନ୍ୟପକ୍ଷରେ ମହା ବିକାଶ ଅଘାଡି (ଏମଭିଏ)ରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବ ସେନା, ଶରଦ ପୱାରଙ୍କ ନେତୃତ୍ୱାଧୀନ ଏନସିପି ଆଦି ରହିଛନ୍ତି ।
ଗତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ଏମଭିଏ ଯେଉଁଭଳି ସଫଳତା ହାସଲ କରିଥିଲା ତାହା ବିଧାନସଭାରେ ପ୍ରତିଫଳିତ ହେବାନେଇ ଶରଦ ପୱାର ଆଶା ରଖିଛନ୍ତି । କାରଣ ରାଜ୍ୟରେ ଏମଭିଏ ୩୦ ଲୋକସଭା ଆସନରେ ବିଜୟୀ ହୋଇଥିବାବେଳେ ପ୍ରତିପକ୍ଷ ଏକନାଥ ସିନେ୍ଦଙ୍କ ନେତୃତ୍ୱରେ ପରିଚାଳିତ ମହାୟୁତି ମେଣ୍ଟକୁ ମାତ୍ର ୧୭ ଆସନ ମିଳିଥିଲା । ଏଥିସହିତ ଏହି ବିଧାନସଭା ନିର୍ବାଚନ ଉଭୟ ଏନସିପି ଏବଂ ଶିବ ସେନାର ଦୁଇ ଗୋଷ୍ଠୀଙ୍କ ନିମନ୍ତେ ଅଗ୍ନିପରୀକ୍ଷା ସଦୃଶ ହେବାକୁ ଯାଉଛି । ଝାଡଖଣ୍ଡରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର କ୍ଷମତାସୀନ ଥିବାବେଳେ କଂଗ୍ରେସ ସେଠାରେ ତାହାର ପ୍ରଦର୍ଶନ ଅଧିକ ଭଲ ହେବା ଆଶା ରଖିଛି । ତେବେ ହରିୟାଣା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବାପରେ କଂଗ୍ରେସ ନେତୃବୃନ୍ଦ ଏହି ଦୁଇ ରାଜ୍ୟରେ ଦଳର ପ୍ରଦର୍ଶନକୁ ନେଇ ଚିନ୍ତାରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାଯାଇଛି ।