ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଗଠନ ହେବାକୁ ଯାଉଛି ଆଇନ ସଂଶୋଧନ ଆୟୋଗ । ରାଜ୍ୟ ସରକାରଙ୍କ ପକ୍ଷରୁ ଲ’ ରିଭିଜନ କମିଶନ ଗଠନ ହେବାକୁ ଯାଉଥିବା ବେଳେ ଅପ୍ରାସଙ୍ଗିକ ଓ ଅଦରକାରୀ ଆଇନର ପରିବର୍ତ୍ତନ ଆବଶ୍ୟକ ଥିବାରୁ ଏହି କମିଶନ ଗଠନ କରାଯିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ତେବେ ଏହା ଆସନ୍ତା ମାସେ କିମ୍ବା ଦେଢ ମାସ ଭିତରେ କମିଶନ ଗଠନ ହେବା ନେଇ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ମାସେ କିମ୍ବା ଦେଢ଼ମାସ ମଧ୍ୟରେ ରାଜ୍ୟରେ ଆଇନ ସଂଶୋଧନ ଆୟୋଗ ଗଠନ ହେବାକୁ ଯାଉଛି। ଏ ସମ୍ପର୍କରେ ସୂଚନା ଦେଇ ଆଇନମନ୍ତ୍ରୀ କହିଛନ୍ତି, ‘ଯେଉଁ ଆଇନ ଉପରେ ସରକାର ଚାଲେ ସେସବୁ ଆଇନଗୁଡିକର ନବୀକରଣ ଅବା ପୁନର୍ବିନ୍ୟାସର ଆବଶ୍ୟକତା ରହିଛି, ତେଣୁ ମାସେ କିମ୍ବା ଦେଢମାସେ ଭିତରେ ଲ’ ରିଭିଜନ କମିଶନ ଗଠନ ହେବ। ଯଦି କେଉଁ ଆଇନ ଅପ୍ରାସଙ୍ଗିକ କିମ୍ବା ଅଦରକାରୀ ହୋଇପଡିଛି ତାହାର ସମୀକ୍ଷା ହେବ। ସେଥିପାଇଁ ଲ’ ରିଭିଜନ କମିଶନ ଗଠନ ହୋଇ ସୂଚନା ଅଧିକାର ଆଇନକୁ ଅଧିକ ସଶକ୍ତ କରାଯିବ। ଦରକାର ପଡିଲେ ଆଇନରେ ସଂଶୋଧନ କରାଯିବ।’ ସରକାରଙ୍କୁ ଭୁଲ ଠିକ ବିଷୟରେ ସୂଚେଇ ଦେବା କାମ ସୂଚନା ଅଧିକାର କର୍ମୀଙ୍କର ହୋଇଥିବା ବେଳେ ରାଜ୍ୟରେ ସେମାନଙ୍କ ନାମରେ ଥିବା ମାମଲାର ସରକାର ପୁରର୍ବିଚାର କରିବେ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।