ନିକଟରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ବଲିଉଡର ଦବଙ୍ଗ ଅଭିନେତା ତଥା ସମସ୍ତଙ୍କ ପ୍ରିୟ ସଲ୍ଲୁ ଭାଇଜାନଙ୍କୁ ଟାର୍ଗେଟ କରାଯାଉଥିବା ସୂଚନା ମିଳିଛି । ହ୍ବାଟ୍ସଆପ ଜରିଆରେ ମୁମ୍ବାଇ ଟ୍ରାଫିକ୍ ପୋଲିସ ପାଖକୁ ପୁଣିଥରେ ସଲମାନ ଖାନଙ୍କୁ ନେଇ ଧମକ ପୂର୍ଣ୍ଣ ମେସେଜ୍ ଆସିଥିବା ବେଳେ ନିଜ ଜୀବନ ବଦଳରେ ତାଙ୍କୁ ୫ କୋଟି ଟଙ୍କା ମଗାଯାଇଛି । ପୋଲିସକୁ ଆସିଥିବା ମେସେଜରେ ଯଦି ବଞ୍ଚିବାକୁ ଚାହୁଁଛ ତେବେ ୫ କୋଟି ଦିଅ ଏବଂ ମେସେଜକୁ ହାଲକା ଭାବେ ନନେବାକୁ କୁହାଯାଇଛି । ଯଦି ୫ କୋଟି ଟଙ୍କା ଦିଆ ନଯାଏ ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଛି । ଗୁରୁବାର ରାତିରେ ମୁମ୍ବାଇ ପୋଲିସ ନିକଟକୁ ଏଭଳି ମେସେଜ ଆସିଥିବା ବେଳେ ଘଟଣାର ମୁମ୍ବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ପ୍ରକାଶଥାଉ କି, ନିକଟରେ ମହାରାଷ୍ଟ୍ରର ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ସୁପାରୀ ଦେଇ ଏହି ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି ।
ଅପରପକ୍ଷରେ ଲରେନ୍ସ ବିଷ୍ଣୋଇକୁ ସଲମାନ ଖାନଙ୍କ ପୂର୍ବତନ ବାନ୍ଧବୀ ତଥା ୯୦ ଦଶକର ହିଟ୍ ହିରୋଇନ୍ ସୋମି ଅଲ୍ଲୀ ମେସେଜ୍ କରି ଏହି ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲରେନ୍ସଙ୍କୁ ନିବେଦନ କରି ସେ ଲେଖିଛନ୍ତି ଯେ, ‘ଭାଇ ଲରେନ୍ସ ମୁଁ ଜାଣିଛି ତୁମେ ଜେଲ୍ ଭିତରୁ ଜୁମ ଦ୍ୱାରା କଲରେ କଥା ହୋଇପାର । ତେଣୁ ମୋ ସହ ଥରେ କଥା ହେବା ପାଇଁ ନିବେଦନ କରୁଛି। ଏହି ଆଲୋଚନା ଦ୍ବାରା ସବୁ ବିବାଦର ସମାଧାନ କରିହେବ। ମୁଁ ରାଜସ୍ଥାନ ଯାଇ ସେଠାରେ ଥିବା ବିଷ୍ଣୋଇ ସମାଜର ମନ୍ଦିରରେ ପୂଜା କରିବି ।’ ତେବେ ସୋମିଙ୍କ ଏହି ପୋଷ୍ଟ ସମ୍ପୂର୍ଣ୍ଣ ଘଟଣାକୁ ଏକ ଭିନ୍ନ ମୋଡ ଦେଇଛି।