ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ଲାଗିଛି ଝଟକା । ନିକଟରେ କୋଇଲା ସ୍କାମ ମାମଲାରେ ତାଙ୍କୁ ଦଣ୍ଡାଦେଶ ମିଳିଥିଲା । ତେବେ ଆସନ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସେ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ । କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଅପରାଧିକ ଷଡଯନ୍ତ୍ର ଏବଂ ୟୁପିଏ ଶାସନର କୋଇଲା ଦୁର୍ନୀତି ଅଭିଯୋଗରେ କୋଡାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ କୋର୍ଟ । ତେବେ ଗତ ସେପ୍ଟେମ୍ବର ୩ ତାରିଖରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଦଣ୍ଡ ବିରୋଧରେ ରାୟ ସଂରକ୍ଷିତ ରଖିଥିଲେ। କିନ୍ତୁ ଏହି ଘଟଣାରେ ମଧୁ କୋଡା ମାମଲା ଖାରଜ ପାଇଁ ଆବେଦନ କରିଥିଲେ । କିନ୍ତୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଏହା ଖାରଜ ହୋଇଯାଇଛି ।
ପ୍ରକାଶଥାଉ କି, କୋଇଲା ଦୁର୍ନୀତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୨୦୧୭ ମସିହା ଡିସେମ୍ବର ୧୬ ରେ ପଟିଆଲା ହାଉସ କୋର୍ଟ ତାଙ୍କୁ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତିନି ବର୍ଷ ଜେଲ ଦଣ୍ଡାଦେଶ ସହିତ ୨୫ ଲକ୍ଷ ଟଙ୍କା ଜରିମାନା କରିଥିଲେ।