ଦିଲ୍ଲୀ: ଦିନକୁ ଦିନ ଅସହଜ ହୋଇପଡିଲାଣି ବିମାନ ଯାତ୍ରା । ଲଗାତାର ଭାବେ ବିମାନକୁ ବୋମା ଧମକ ମିଳୁଥିବା ବେଳେ ଶନିବାର ପୁଣିଥରେ ଆଉ ୨ଟି ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି । ପୂର୍ବରୁ ଗୁରୁବାର ଦିନ ବୋମା ଧମକ ଯୋଗୁଁ ଭିସ୍ତାରାର ଏକ ବିମାନ (ଫ୍ରାଙ୍କଫର୍ଟ-ମୁମ୍ବାଇ)କୁ ମୁମ୍ବାଇରେ ଜରୁରୀ ଅବତରଣ କରିଥିବା ବେଳେ ଶନିବାର ଭିସ୍ତାରାର ଦିଲ୍ଲୀ-ଲଣ୍ଡନ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ଦୁବାଇ-ଜୟପୁରକୁ ବୋମା ଧମକ ମିଳିଛି । ଇ-ମେଲ ଜରିଆରେ ଏହି ବୋମା ଧମକ ମିଳିବା ପରେ ବିଳମ୍ବିତ ରାତିରେ ଜୟପୁର ଏୟାରପୋର୍ଟରେ ବିମାନଟି ଅବତରଣ କରିଥିଲା । ଏହାପରେ ବିମାନର ସୁରକ୍ଷା ଯାଞ୍ଚ ହୋଇଥିବା ବେଳେ ବିମାନରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ସୂଚନା ମିଳିଛି ।
ଅପରପକ୍ଷରେ ଭିସ୍ତାରାର ଦିଲ୍ଲୀ-ଲଣ୍ଡନ ବିମାନରେ ବୋମା ଥିବା ଧମକ ମିଳିବା ପରେ ଜର୍ମାନୀର ଫ୍ରାଙ୍କଫର୍ଟକୁ ଡାଇଭର୍ଟ ହୋଇ ଉକ୍ତ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଦିଲ୍ଲୀ-ଲଣ୍ଡନ ବିମାନ ୟୁକେ ୧୭ ଦିଲ୍ଲୀରୁ ଲଣ୍ଡନ ଯାଉଥିବା ସମୟରେ ବୋମା ଧମକ ପାଇବା ପରେ ପରେ ତୁରନ୍ତ ଫ୍ରାଙ୍କଫର୍ଟକୁ ଡାଇଭର୍ଟ ହୋଇଥିଲା । ତେବେ ସେଠାରେ ସୁରକ୍ଷା ଅଧିକାରୀମାନେ ପ୍ରାୟ ଅଢ଼େଇ ଘଣ୍ଟା ଧରି ବିମାନକୁ ଯାଞ୍ଚ କରିବା ସତ୍ତ୍ୱେ କୌଣସି ସନ୍ଦହେଜନକ ବସ୍ତୁ ମିଳିନଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ଗତ ସପ୍ତାହେ ମଧ୍ୟରେ ପ୍ରାୟ ୪୦ଟି ବିମାନକୁ ବୋମା ଧମକ ମିଳିସାରିଲାଣି । ତେବେ ସୁରକ୍ଷା ଯାଞ୍ଚ ପରେ ଏହି ସବୁ ଧମକ ହୋକ୍ସ ବୋଲି ଜଣାପଡୁଛି। ଏପରି ସମସ୍ୟାକୁ ରୋକିବା ପାଇଁ ଯଥାଶୀଘ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି ।