ଅଟାଓ୍ବା: ଭାରତ-କାନାଡା ସମ୍ପର୍କରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଏହାର ମୂଳ କାରଣ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ସହ ଜଡିତ ପ୍ରସଙ୍ଗ ବୋଲି କୁହାଯାଉଛି। ନିଜ୍ଜାର ହତ୍ୟା ପ୍ରସଙ୍ଗକୁ ନେଇ କାନାଡା ଭାରତ ଉପରେ ସଂଗୀନ ଅଭିଯୋଗ ଆଣିଥିବା ଦେଖିବାକୁ ମିଳୁଛି। ନିକଟରେ କାନାଡା ସରକାର ଭାରତୀୟ ହାଇ କମିଶନରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ସେମାନେ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଥିବା କହିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଏହି ପରିପ୍ରେକ୍ଷୀରେ ଜୋଲି କହିଛନ୍ତି ଯେ, ‘କାନାଡ଼ା ସରକାର ଭିଏନା ସମ୍ମିଳନୀକୁ ଉଲ୍ଲଂଘନ କରୁଥିବା କିମ୍ବା କାନାଡିୟମାନଙ୍କ ଜୀବନ ପ୍ରତି ବିପଦ ଥିବା କୌଣସି କୂଟନୀତିଜ୍ଞଙ୍କୁ ବରଦାସ୍ତ କରିବେ ନାହିଁ।’
ଶୁକ୍ରବାର ଭାରତକୁ ଦୋଷାରୋପ କରିବା ସହ ଜୋଲି, କାନାଡାର ଜାତୀୟ ପୋଲିସ ଫୋର୍ସ ଭାରତୀୟ କୂଟନୀତିଜ୍ଞଙ୍କୁ ହତ୍ୟା, ମୃତ୍ୟୁ ଧମକ ଏବଂ ଭୟଭୀତତା ସହ ଯୋଡିଥିବା ବେଳେ ଭାରତକୁ ରୁଷିଆ ସହିତ ତୁଳନା କରିବାକୁ ପଛାଇ ନାହାନ୍ତି । ସେ କହିଛନ୍ତି ଯେ, ‘ଆମ ଇତିହାସରେ ଆମେ ଏପରି ଘଟଣା କେବେ ଦେଖିନାହୁଁ। ଏହି ସ୍ତରର ଅନ୍ତର୍ଜାତୀୟ ଅପରାଧ କାନାଡ଼ା ମାଟିରେ ହୋଇପାରିବ ନାହିଁ। ୟୁରୋପର ଅନ୍ୟ ସ୍ଥାନରେ ଆମେ ଏହା ଦେଖିଛୁ। ଜର୍ମାନୀ ଏବଂ ବ୍ରିଟେନରେ ରୁଷିଆ ଏହା କରିଛି ଏବଂ ଏହି ପ୍ରସଙ୍ଗରେ ଆମକୁ ଦୃଢ ଭାବେ ଠିଆ ହେବାକୁ ପଡିବ।’
ପ୍ରକାଶଥାଉ କି, ନିକଟରେ କାନାଡା ସରକାର ଭାରତୀୟ ହାଇ କମିସନରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ସେମାନେ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ଅଛନ୍ତି । ଏହାପରେ ଭାରତ ସରକାର ଅଧିକାରୀମାନଙ୍କୁ ସେଠାରୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେବା ସହିତ ଅକ୍ଟୋବର ୧୯ ସୁଦ୍ଧା ଭାରତ ଛାଡିବାକୁ ୬ ଜଣ କାନାଡୀୟ କୂଟନୀତିଜ୍ଞଙ୍କୁ ଅଲ୍ଟିମେଟମ ମଧ୍ୟ ଦେଇଥିଲେ ।