ନୂଆଦିଲ୍ଲୀ : ଦିନକୁ ତୀବ୍ର ହେବାରେ ଲାଗିଛି ଭାରତ-କାନାଡାର କୂଟନୈତିକ ବିବାଦ। ସେଥିପାଇଁ ନିକଟରେ କାନାଡା ବିରୋଧରେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେଠାରୁ ଉଚ୍ଚାୟୁକ୍ତଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ଭାରତ ପକ୍ଷରୁ ବହିଷ୍କାର କରାଯାଇଥିଲା ।
ତେବେ ଏହି ପରିପ୍ରେକ୍ଷୀରେ କାନାଡ଼ାର ଏକ ଗଣମାଧ୍ୟମ ସି-ଟିଭି ନିୟୁଜରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି କାନାଡ଼ାରେ ଅବସ୍ଥାପିତ ଥିବା ଭାରତୀୟ ଉଚ୍ଚ ଆୟୁକ୍ତ ସଞ୍ଜୟ ବର୍ମା । ସେ କହିଛନ୍ତି ‘କାନାଡ଼ା ଭାରତ ସହିତ କାନାଡ଼ାର ସମ୍ପର୍କ ଖରାପ ହେବା ପଛରେ ଦାୟୀ ହେଉଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଖଲିସ୍ତାନୀ ଆତଙ୍କବାଦୀମାନେ କାନାଡ଼ା ଗୁଇନ୍ଦା ବିଭାଗର ବଡ଼ ସମ୍ପତ୍ତି। ସେମାନେ କାନାଡ଼ା ଗୁଇନ୍ଦା ସଂସ୍ଥା ପାଇଁ କାର୍ଯ୍ୟ କରୁଛନ୍ତି। ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ କାନାଡ଼ାରେ ସବୁବେଳେ ଉତ୍ସାହିତ କରାଯାଏ। ଖଲିସ୍ତାନର ଅନେକ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀ କାନାଡ଼ା ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ(ସିଏସଆଇଏସ)ର ବଡ଼ ସମ୍ପତ୍ତି। ଏହା ମୁଁ ଅଭିଯୋଗ କରୁଛି।’
ପ୍ରକାଶଥାଉ କି, ଭାରତ-କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବାରୁ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେଠାରୁ ଉଚ୍ଚାୟୁକ୍ତଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ଭାରତ ପକ୍ଷରୁ ବହିଷ୍କାର କରାଯାଇଥିଲା । ସେମାନଙ୍କୁ ଗତ ୧୯ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଭାରତ ସରକାର ବର୍ମାଙ୍କ ସମେତ ଅନ୍ୟ ରାଷ୍ଟ୍ରଦୂତମାନଙ୍କୁ କାନାଡ଼ାରୁ ଫେରାଇ ଆଣିବା ପରେ ସଞ୍ଜୟ ବର୍ମା ଏହା କହିଛନ୍ତି। ଖଲିସ୍ତାନୀ ଆତଙ୍କବାଦି ହରଦୀପ ସିଂହ ନିଜ୍ଜାର ହତ୍ୟା ପଛରେ ବର୍ମା ସମ୍ପୃକ୍ତ ଥିବା ନେଇ କାନାଡ଼ା ଅଭିଯୋଗ ଆଣିବା ପରେ ସେ ଏହି ମନ୍ତବ୍ୟ ଦେଇଥିବା ସୂଚନା ମିଳିଛି।