ଅଯୋଧ୍ୟାରେ ବିବାଦୀୟ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ ମାମଲାର ମାମଲାରେ ଶୁଣାଣି ହେବା ଆଗରୁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି । ରବିବାର ମହାରାଷ୍ଟ୍ରର କହ୍ନେରସାର ଗାଁରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ। ୨୦୧୯ ମସିହାରେ ହୋଇଥିବା ଅଯୋଧ୍ୟା ମାମଲାର ରାୟ ଘଟଣାକୁ ମନେ ପକାଇ ନିଜର ଅନୁଭୂତି କହିଛନ୍ତି ଡ଼ି.ୱାଇ ଜଷ୍ଟିସ୍ ଚନ୍ଦ୍ରଚୂଡ । ପ୍ରଧାନ ବିଚାରପତି କହିଛନ୍ତି, “ଅଯୋଧ୍ୟା ମାମଲାର ସମାଧାନ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲି।”
ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, “ଯଦି ଭଗବାନଙ୍କ ଉପରେ ବିଶ୍ୱାସ ଥାଏ, ତେବେ ସେ ନିଶ୍ଚୟ କିଛି ନା କିଛି ରାସ୍ତା ବାହାର କରିବେ। ପ୍ରାୟତଃ ଆମ ପାଖରେ କେତେକ ମାମଲା ବିଚାର କରିବାକୁ ଥାଏ, ଯାହାର ସମାଧାନ ବା ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରୁନା। ଅଯୋଧ୍ୟା (ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦ) ସମୟରେ ସମାନ ଘଟଣା ଘଟିଥିଲା। ଦୀର୍ଘ ତିନି ମାସ ବିଚାର ଚାଲିଥିଲେ ମଧ୍ୟ ଅନ୍ତିମ ଶୁଣାଣି ହୋଇପାରୁ ନଥିଲା। ଶେଷରେ ମୁଁ ଠାକୁରଙ୍କ ପାଖକୁ ଗଲି, ତାଙ୍କୁ ହିଁ ଏହାର ସମାଧାନର ବାଟ ବାହାର କରିବାକୁ ନିବେଦନ କଲି। ଆଉ ଶେଷରେ ସମାଧାନ ହେଲା। ବିଶ୍ୱାସ କରନ୍ତୁ, ଯଦି ଆପଣଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ଅଛି, ତେବେ ସେ ନିଶ୍ଚୟ ବାଟ ଦେଖାଇବେ।”
ପ୍ରକାଶ ଥାଉକି, ୨୦୧୯ ମସିହା ନଭେମ୍ବର ୯ ତାରିଖରେ ସୁପ୍ରିମ କୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଉପରେ ରାୟ ଶୁଣାଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼। ତେବେ ଏହି ଶୁଣାଣି ସମୟରେ ରାମ ଜନ୍ମଭୂମି ସ୍ଥାନରେ ବାବ୍ରି ମସଜିଦ ନିର୍ମାଣ ହୋଇଥିବାରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ରାୟ କୋଟି କୋଟି ଭାରତୀୟଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ ଥିବା ବେଳେ ଦୀର୍ଘ ଦିନ ଧରି ହିନ୍ଦୁ ଏବଂ ମୁସଲିମଙ୍କ ମଧ୍ୟରେ ଚାଲି ଆସିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଥିଲା। ପରିଶେଷରେ ଚଳିତ ବର୍ଷ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା।