ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀଠାରେ ପଞ୍ଚମ ଜାତୀୟ ଜଳ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ନିକଟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଘୋଷଣା ହୋଇଥିବା ବେଳେ ଏଥିରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ୯ଟି ବର୍ଗରେ ସମୁଦାୟ ୩୮ ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଥିରେ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ଜଳ ଉପଭୋକ୍ତା ସଂଘ ଏବଂ ଶ୍ରେଷ୍ଠ ନାଗରିକ ସମାଜ ଅନ୍ତର୍ଭୁକ୍ତ ଅଟେ।
ମଙ୍ଗଳବାର ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି ମୁର୍ମୁ ଜଳ ଜୀବନ ମିଶନ ଅଧୀନରେ ସରକାର ଦେଶର ୭୮%ରୁ ଅଧିକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିଥିବା ପ୍ରକାଶ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ‘୨୦୧୯ ମସିହାରେ ଯେତେବେଳେ ଏହି ମିଶନ ଆରମ୍ଭ ହୋଇଥିଲା ସେତେବେଳେ ମାତ୍ର ୧୭% ଗ୍ରାମୀଣ ପରିବାର ସୁରକ୍ଷିତ ଜଳ ପାଇଥିଲେ। ଜଳ ଜୀବନ ମିଶନ ଯୋଗୁଁ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନରେ ଯଥେଷ୍ଟ ଉନ୍ନତି ଆସିଛି।’ ଏହାସହିତ ଜଳ ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ଦେଶରେ ଭୂତଳ ଜଳ ସ୍ଥିତି ହ୍ରାସ ନେଇ ଚିନ୍ତା ପ୍ରକଟ କରିଥିଲେ।
ସୂଚନାଯୋଗ୍ୟ ଯେ, ନିକଟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର ପାଟିଲ ଜାତୀୟ ଜଳ ଶକ୍ତି ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ଶ୍ରମଶକ୍ତି ଭବନଠାରେ ଆୟୋଜିତ ହୋଇଥିବା ବେଳେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶା ପ୍ରଥମ ସ୍ଥାନରେ, ଉତ୍ତର ପ୍ରଦେଶ ଦ୍ୱିତୀୟ ସ୍ଥାନରେ, ଗୁଜରାଟ ଏବଂ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ରେ ରହିଛନ୍ତି । ତେବେ ବିଜୟୀ ହୋଇଥିବା ପ୍ରତ୍ୟେକ ରାଜ୍ୟକୁ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା ।