ଦିଲ୍ଲୀ: ମଙ୍ଗଳବାର ରାତିରେ ଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଦୀପାବଳି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ବିରୋଧ କରି ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ଶତାଧିକ ଛାତ୍ରଛାତ୍ରୀ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ତେବେ ଉଭୟ ପକ୍ଷରୁ ନାରାବାଜି ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଏକ ଗୋଷ୍ଠୀ ପାଲେଷ୍ଟାଇନ୍ ଜିନ୍ଦାବାଦର ସ୍ଲୋଗାନ ଦେବା ସହ କିଛି ଛାତ୍ରଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ସଂକ୍ରାନ୍ତରେ ସୂଚନା ପାଇବା ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ସହ ଶିକ୍ଷକମାନେ ପହଞ୍ଚି ଆସି ଛାତ୍ରଛାତ୍ରୀଙ୍କୁ ଶାନ୍ତ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଆଗକୁ ଦୀପାବଳି ଥିବା ବେଳେ ଏହି ଉପଲକ୍ଷେ ଜାମିଆ ମିଲିଆ ଇସଲାମିଆରେ ଏବିଭିପିର ଜାତୀୟ କଳା ମଞ୍ଚ ପକ୍ଷରୁ ‘ଜ୍ୟୋତିର୍ମୟ ୨୦୨୪’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ମଙ୍ଗଳବାର ସନ୍ଧ୍ୟା ୭.୩୦ରୁ ୮.୦୦ ଟା ମଧ୍ୟରେ ବିଶ୍ୱବିଦ୍ୟାଳୟର ୭ ନମ୍ବର ଗେଟ୍ ନିକଟରେ ରଙ୍ଗୋଲି ପ୍ରତିଯୋଗିତା ସମେତ ଦୀପ ସଜାଇବା ପ୍ରତିଯୋଗିତା ହୋଇଥିଲା। କିନ୍ତୁ ଏହି ସମୟରେ ଅନ୍ୟ ସମ୍ପ୍ରଦାୟର କିଛି ଛାତ୍ରଛାତ୍ରୀ ସେଠାରେ ପହଞ୍ଚି କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ପାଦରୁ ରଙ୍ଗୋଲି ମଧ୍ୟ ହଟାଇ ଦେବା ସହ ଏହାକୁ ନେଇ ଏବିଭିପି ଛାତ୍ରଛାତ୍ରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ।
ଏହାପରେ ଉଭୟ ପକ୍ଷର ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ହୋହଲ୍ଲା କରୁଥିବା ବେଳେ ଗୋଟିଏ ଗୋଷ୍ଠୀ ‘ପାଲେଷ୍ଟାଇନ୍ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ଉଭୟ ଦଳ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହ ଛାତ୍ରଙ୍କ ସହ ଅସଦାଚରଣ ମଧ୍ୟ ହୋଇଥିବା ଅଭିଯୋଗରୁ ଜଣ ପଡିଛି। ତେବେ ଏହି ଘଟଣାକୁ ନେଇ ଇଣ୍ଟରନେଟ୍ ମିଡିଆରେ ଅନେକ ଭିଡିଓ ମଧ୍ୟ ଅପଲୋଡ୍ କରାଯାଇଥିବା ଦେଖିବାକୁ ମିଳିଛି। ଗଣ୍ଡଗୋଳ ସମ୍ପର୍କରେ ସୂଚନା ପାଇ ଖବର ପାଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ଏନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଏବିଭିପି ଜାମିଆ ମିଲିଆ ଇସଲାମିଆର ସଭାପତି ଅଭିଷେକ ଶ୍ରୀବାସ୍ତବ ଏକ ବିବୃତି ଜାରି କହିଛନ୍ତି ଯେ, ‘ବାହାରେ ଥିବା ଉଗ୍ରବାଦୀ ଓ ଅସାମାଜିକ ଗୋଷ୍ଠୀ ଦୀପୋତ୍ସବ କାର୍ଯ୍ୟକ୍ରମରେ ‘ପାଲେଷ୍ଟାଇନ୍ ଜିନ୍ଦାବାଦ’ ଓ ଅନ୍ୟାନ୍ୟ ଉତ୍ତେଜନାମୂଳକ ସ୍ଲୋଗାନ ଦେଇ ଦୀପୋତ୍ସବର ଦୀପ ଭଙ୍ଗ କରିଥିଲେ।’