ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମାମଲା ସମ୍ପର୍କିତ ଖବର ସଂଗ୍ରହ ନିମନ୍ତେ ସାମ୍ବାଦିକମାନଙ୍କୁ ପୂର୍ବରୁ ଆଇନ ଡିଗ୍ରୀ ହାସଲ କରିବାକୁ ପଡୁଥିବାବେଳେ ସମ୍ପ୍ରତି ସେହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିନିଆଯାଇଛି । ପୂର୍ବରୁ ଆଇନ ଡିଗ୍ରୀଧାରୀମାନେ ସୁପ୍ରିମକୋର୍ଟରେ ସାମ୍ବାଦିକତା କରିବା ନିମନ୍ତେ ଆକ୍ରିଡିଏସନ (ଅଧିସ୍ୱୀକୃତି) ପାଇଁ ଆବେଦନ କରିପାରୁଥିଲେ । ତେବେ ସୁପ୍ରିମକୋର୍ଟ ଏଣିକି ସାମ୍ବାଦିକମାନଙ୍କ ପାଇଁ ନିଜର ପ୍ରବେଶ ଦ୍ୱାରକୁ ଅଧିକ ସହଜ ଓ ସରଳ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାଗୁଡିକ ସମ୍ପର୍କିକ ଖବର ସଂଗ୍ରହ ନିମନ୍ତେ ଅଧିସ୍ୱୀକୃତ ସାମ୍ବାଦିକଙ୍କ ନିମନ୍ତେ ଆଇନ ଡିଗ୍ରୀ ହାସଲ ବ୍ୟବସ୍ଥାକୁ କୋହଳ କରାଯାଇଛି । ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଜଣେ ସାମ୍ବାଦିକ କାହିଁକି ବାଧ୍ୟତାମୂଳକ ଭାବରେ ଆଇନ ଡିଗ୍ରୀ ହାସଲ କରିଥିବାର ବ୍ୟବସ୍ଥା ରହିଥିଲା ତାହା ସେ ଜାଣିପାରୁନାହାନ୍ତି । ତାହାକୁ କୋହଳ କରାଯିବା ସମ୍ପର୍କିତ ଫାଇଲରେ ସେ ସ୍ୱାକ୍ଷର କରିଛନ୍ତି । ଏହାଦ୍ୱାରା ଆଇନ ଡିଗ୍ରୀ ନଥିବା ପୃଷ୍ଠଭୂମିରୁ ଆସୁଥିବା ସାମ୍ବାଦିକ ମଧ୍ୟ ସୁପ୍ରିମକୋର୍ଟରେ ଅଧିସ୍ୱୀକୃତି ନିମନ୍ତେ ଆବେଦନ କରିପାରିବେ । ଏଥିସହିତ ଅଧିସ୍ୱୀକୃତ ସାମ୍ବାଦିକମାନେ ଏଣିକି ସୁପ୍ରିମକୋର୍ଟ ପରିସରରେ ଥିବା ପାର୍କିଂ ସ୍ଥଳ ବ୍ୟବହାର କରିପାରିବେ । ସୂଚନାଯୋଗ୍ୟ ଯେ ୨୦୨୨ ନଭେମ୍ବର ୯ ତାରିଖରେ ଦେଶର ପ୍ରଧାନ ବିଚାରପତି ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ଚନ୍ଦ୍ରଚୂଡ ନଭେମ୍ବର ୮ ତାରିଖରେ ଅବସର ନେବାକୁ ଯାଉଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହିତ ଆଇନ ବ୍ୟବସ୍ଥାକୁ ଦକ୍ଷ ଓ ସୁସଂହତ ତଥା ମାମଲାଗୁଡିକର ତ୍ୱରିତ ବିଚାର ନିମନ୍ତେ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । ସର୍ବୋପରି ନ୍ୟାୟିକ ପ୍ରକ୍ରିୟାକୁ ଯଥାସମ୍ଭବ କାଗଜବିହୀନ କରି ତାହାକୁ ଡିଜିଟାଲରେ ପରିଣତ କରିବା ଏବଂ ଖାଲି ପଡିଥିବା ବିିଚାରପତି ପଦଗୁଡିକ ପୂରଣ କରିବା ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।