ଫିଲିପାଇନ୍ସ: ଫିଲିପାଇନ୍ସରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ଟ୍ରାମି। ଏହି ସମୟରେ ପ୍ରବଳ ବର୍ଷା ସହ ପବନ ଯୋଗୁଁ ଘୂର୍ଣ୍ଣିଝଡ଼ ପରେ ସେଠାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଏହି ଘୁର୍ଣ୍ଣିଝଡ ଯୋଗୁଁ ପ୍ରାୟ ୧୩୮ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ୪୦ ଜଣ ନିଖୋଜ ଅଛନ୍ତି। ତେବେ ବନ୍ୟା ଫଳରେ ଭୂସ୍ଖଳନ ମଧ୍ୟ ହୋଇ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଏନେଇ ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଶନିବାର ସୂଚନା ଦେଇଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ‘ଟ୍ରାମି’ ପାଇଁ ଅନେକ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇ ସେହି ଅଂଚଳଗୁଡିକରେ ପହଞ୍ଚିବା କଷ୍ଟସାଧ୍ୟ ହୋଇପଡିଛି। ସେଥିପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି । ପୋଲିସ, ଅଗ୍ନିଶମ ବାହିନୀ ଏବଂ ସେନା କର୍ମଚାରୀମାନେ ମିଳିତ ଭାବେ ସନ୍ଧାନୀ କୁକୁରଙ୍କ ସାହାଯ୍ୟରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇଥିବା ଲୋକଙ୍କୁ ବାହାର କରିବା ପାଇଁ ଅପେରସନ ଜାରି ରଖିଛି । ଉଦ୍ଧାର ଏବଂ ସ୍ଥାନାନ୍ତର କାର୍ଯ୍ୟରେ ପ୍ରାୟ ୧୫୦୦ ପୋଲିସ କର୍ମୀ ନିୟୋଜିତ ରହିଥିବା ବେଳେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରହିଛି।
ସୂଚନାଯୋଗ୍ୟ ଯେ, ଟାଇଫୁନ୍ ‘ଟ୍ରାମି’ ଚଳିତ ବର୍ଷରେ ଦକ୍ଷିଣ ପୂର୍ବ ଏସୀୟ ଦ୍ୱୀପପୁଞ୍ଜରେ ମାଡ଼ ହୋଇଥିବା ସବୁଠାରୁ ଘାତକ ତଥା ବିନାଶକାରୀ ଝଡ଼ ମଧ୍ୟରୁ ଗୋଟିଏ। ଏହା ଶୁକ୍ରବାର ଫିଲିପାଇନ୍ସରେ ଉତ୍ତର-ପଶ୍ଚିମ ଦିଗରୁ ମାଡ଼ ହୋଇଥିଲା । ଏହା ଫଳରେ ପୂରା ଅଞ୍ଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରବଳ ବର୍ଷା ହେବା ସହିତ ବଡ ବଡ ଗଛ ଉପୁଡିଛି । ଏହାଯୋଗୁଁ ପ୍ରାୟ ୪୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ୫ ଲକ୍ଷ ଲୋକ ସହର ଛାଡି ପଳାୟନ କରି ଭିନ୍ନ ଭିନ୍ନ ଅଞ୍ଚଳରେ ଶରଣ ନେଇଛନ୍ତି। ତେବେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଲୋକ ପାଣି ଘେରରେ ଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ଗତ ସେପ୍ଟେମ୍ବରରେ ହୋଇଥିବା ଘୁର୍ଣ୍ଣିଝଡ଼ ‘ୟାଗୀ’ ଯୋଗୁଁ ଫିଲିପାଇନ୍ସ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ଗତ ମଙ୍ଗଳବାର ଉତ୍ତର ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଯୋଗୁ ବନ୍ୟା ଓ ଭୂସ୍ଖଳନ ପାଇଁ ୧୪ ଜଣଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଥିଲା। ତେବେ ପ୍ରତିବର୍ଷ ଫିଲିପାଇନ୍ସରେ ଅତିକମରେ ୨୦ରୁ ଅଧିକ ଘୂର୍ଣ୍ଣିଝଡ ହୋଇଥାଏ ।