ଭୁବନେଶ୍ଵର: ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ଭୀଷଣ ବାତ୍ୟା ‘ଦାନା’ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିବା ପାଇଁ ରବିବାରଠାରୁ ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପରିଦର୍ଶନର ଦ୍ଵିତୀୟ ଦିନରେ ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ‘ଦାନା’ ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହାବେଳୀଖଟିରେ ମଧ୍ୟ ସ୍ଥିତି ପରଖିବେ। ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ବାତ୍ୟା ‘ଦାନା’ ସମ୍ପର୍କରେ ସ୍ଥିତି ପରଖିବା ପାଇଁ ରବିବାର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ଏହି ସମୟରେ ଆକାଶ ମାର୍ଗରୁ ପରିଦର୍ଶନ ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ।