ଭୁବନେଶ୍ଵର: ମଙ୍ଗଳବାର ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ରାଜଧାନୀରେ ଆୟୋଜିତ ହୋଇଯାଇଛି ‘ଏକତା ଦୌଡ଼’ ବା ‘ରନ୍ ଫର୍ ୟୁନିଟି ମାରାଥନ୍’। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରୁ ଏକ ମାରାଥନ୍ ବାହାରିଥିଲା। କଳିଙ୍ଗ ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ଏକତାର ଶପଥ କରାଇବା ପରେ ଅନ୍ୟ ନେତୃବୃନ୍ଦଗଣଙ୍କ ସମେତ ଧଳା ପତାକା ଦେଖାଇ ଏକତା ଦୌଡ଼ର ଶୁଭାରମ୍ଭ କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ଏବଂ ଉପସ୍ଥିତ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅନ୍ୟ ଜନତାଙ୍କୁ ସମ୍ବୋଧନ କରି ଏକତାର ଗୁରୁମନ୍ତ୍ର ଦେଇଥିଲେ । ଏହି ଅବସରରେ ଦେଶର ଅଖଣ୍ଡତା ଏବଂ ଏକତା ବଜାୟ ରଖିବାକୁ ଶପଥପାଠ କରାଇଥିଲେ ମୁଖ୍ୟମନ୍ତ୍ରୀ। ଏହା ସହିତ ଉପସ୍ଥିତ ସମସ୍ତ ନେତା ଏବଂ ଛାତ୍ରଛାତ୍ରୀମାନେ ‘ରନ୍ ଫର୍ ୟୁନିଟି’ରେ ଦୌଡ଼ିଥିଲେ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପୂର୍ବରୁ ଏହି ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାଏକ, ପୁଲିସ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ, ମନ୍ତ୍ରୀ ପରିଷଦ ସଦସ୍ୟ ଏବଂ ବିଭିନ୍ନ ବିଭାଗର ସଚିବ ଓ ଡିଜିପି ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ମାରାଥନରେ ରାଜ୍ୟର ବିଭିନ୍ନ ସ୍କୁଲ ଓ କ୍ରୀଡ଼ା ସଂଗଠନର ୨ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ ।
ପ୍ରକାଶଥାଉ କି, ଆସନ୍ତା ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ଜୟନ୍ତୀ ଥିବା ବେଳେ ତାଙ୍କ ସ୍ମୃତିରେ ଏହି ଦିନଟିକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ଦୀପାବଳି ଛୁଟି ରହୁଥିବାରୁ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ଅକ୍ଟୋବର ୨୯ରେ ଆୟୋଜିତ ହୋଇଛି । ପୂର୍ବରୁ ଏ ସମ୍ପର୍କରେ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ ।