ଓ୍ବାଶିଂଟନ: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ପରମ୍ପରାକୁ ଖୁବ ପସନ୍ଦ କରୁଥିବା ବେଳେ ସବୁ ଉତ୍ସବ ମଧ୍ୟରୁ ସେ ଦୀପାବଳିକୁ ଖୁବ ପସନ୍ଦ କରନ୍ତି ବୋଲି ଏହାର ପ୍ରମାଣ ସେ ଆଗରୁ ଦେଇ ସାରିଛନ୍ତି। ଗତବର୍ଷ ବାଇଡେନ ସପରିବାର ଦୀପାବଳି ପାଳିଥିବା ସମଗ୍ର ବିଶ୍ବ ଦେଖିଥିଲା ।
ତେବେ ଦୀପାବଳୀ ଅବସରରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ୍ ହାଉସରେ ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଦେଖିବାକୁ ମିଳିଛି । ଏହି ଉତ୍ସବ ଅବସରରେ ଦେଶର ସାଂସଦ, ଅଧିକାରୀ ଏବଂ କର୍ପୋରେଟ୍ ଜଗତର ୬୦୦ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ଆମେରିକୀୟ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମରେ ଆମେରିକୀୟ ସାଂସଦ ଶ୍ରୀ ଥାନେଦାର, ଆମେରିକାର ସର୍ଜନ ଜେନେରାଲ ଭାଇସ୍ ଆଡମିରାଲ ବିବେକ ଏଚ୍. ମୂର୍ତ୍ତି ଏବଂ ଅନ୍ତର୍ଜାତୀୟ ମୁଦ୍ରା କୋଷର ପ୍ରଥମ ଡେପୁଟି ମେନେଜିଂ ଡାଇରେକ୍ଟର ଗୀତା ଗୋପିନାଥଙ୍କ ସମେତ ଭାରତୀୟ ବଂଶୋଦ୍ଭବମାନେ ଉପସ୍ଥିତ ଥିଲେ ।
ଦୀପାବଳୀ ପାଳନ ଅବସରରେ ବାଇଡେନ୍ ହ୍ୱାଇଟ୍ ହାଉସର ‘ଇଷ୍ଟ ରୁମ୍’ରେ କହିଥିଲେ, ‘ରାଷ୍ଟ୍ରପତି ରୂପେ ମୋତେ ହ୍ୱାଇଟ୍ ହାଉସରେ ସର୍ବବୃହତ ଦୀପାବଳି ସମାରୋହ ଆୟୋଜନ କରିବାର ସୌଭାଗ୍ୟ ମିଳିଛି । ମୋ ପାଇଁ ଏହାର ବହୁତ ମହତ୍ତ୍ୱ ରହିଛି’ ।
ହ୍ୱାଇଟ୍ ହାଉସର ବ୍ଲୁ ରୁମରେ ଚିରାଚରିତ ଭାବରେ ଦୀପ ଜଳାଇ ବାଇଡେନ୍ କହିଥିଲେ ଯେ, ଦକ୍ଷିଣ ଏସୀୟ ଆମେରିକୀୟ ସମ୍ପ୍ରଦାୟ ଆମେରିକା ଜୀବନର ପ୍ରତ୍ୟେକ ଭାଗକୁ ସମୃଦ୍ଧ କରିଛନ୍ତି ।
ପ୍ରକାଶଥାଉ କି, ୨୦୦୩ ମସିହାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ହ୍ୱାଇଟ୍ ହାଉସରେ ଦୀପାବଳି ପାଳନର ପରମ୍ପରା ଆରମ୍ଭ କରିଥିଲେ । ଅପରପକ୍ଷରେ, ଚଳିତ ବର୍ଷ ଦୀପାବଳୀ ମହୋତ୍ସବରେ ଆଗକୁ ହେବାକୁ ଥିବା ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ଥିବା ହେତୁ ଉପରାଷ୍ଟ୍ରପତି କମଲା ହାରିସ୍ ତଥା ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ୍ ଏହି ସମାରୋହରେ ସାମିଲ ହୋଇପାରି ନଥିଲେ ।