ଜମ୍ମୁ: ମଙ୍ଗଳବାର ଜମ୍ମୁ-କାଶ୍ମୀରସ୍ଥିତ ଉଦ୍ଧମପୁର ଜିଲ୍ଲାରେ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ମିନି ବସ୍ ଭାରସାମ୍ୟ ହରାଇ ଗଭୀର ଖାଇ ତଳକୁ ଖସି ପଡ଼ିବା ଦ୍ୱାରା ପ୍ରାୟ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଆହତମାନଙ୍କ ମଧ୍ୟରେ ଅଧିକାଂଶ ନର୍ସିଂ ଛାତ୍ର ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ଉଦ୍ଧମପୁର ଜିଲ୍ଲାର ଫରନା ମାଗଜୋଟ୍ ଅଞ୍ଚଳରେ ଏକ ଯାତ୍ରୀବାହୀ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୬ ଜଣ ନର୍ସିଂ ଛାତ୍ରଙ୍କ ସମେତ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ବସ୍ ଟି ନିୟନ୍ତ୍ରଣ ହରାଇଥିବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।
ପ୍ରକାଶଥାଉ କି, ମଙ୍ଗଳବାର ମିନିବସ୍ ସଲମାରୀରୁ ଉଦ୍ଧମପୁର ଯାଉଥିବା ବେଳେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଦୁର୍ଘଟଣାର ଶିକାର ହୋଇ ଫରମା ଗାଁ ନିକଟରେ ଏହା ଖାଇକୁ ଖସିପଡ଼ିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଡେପୁଟି କମିଶନର ସଲୋନୀ ରାୟ ଆହତମାନଙ୍କ ସ୍ଥିତି ବିଷୟରେ ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଥିବା ସୂଚନା ମିଳିଛି । ତେବେ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ପରେ ସେ କହିଛନ୍ତି ଯେ, ବ୍ରେକ୍ ଫେଲ ହେବା ପରେ ବସ୍ ଖାଇକୁ ଖସିପଡ଼ିଥିଲା । ଏଥିରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ଯାଞ୍ଚ କରାଯିବ।