ନୂଆଦିଲ୍ଲୀ: ଶୁକ୍ରବାର ଅନୁଷ୍ଠିତ ହୋଇଥିବା ହଂକଂ କ୍ରିକେଟ ସିକ୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୬ ଉଇକେଟରେ ପରାସ୍ତ କରିଥିବା ସୂଚନା ମିଳିଛି। ତେବେ ପାକିସ୍ତାନ କ୍ରିକେଟ ଟିମ ଗ୍ରୁପ ପର୍ଯ୍ୟାୟର ଉଭୟ ମ୍ୟାଚ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଟିନ କ୍ୱାଙ୍ଗ ରୋଡ କ୍ରିକେଟ ଗ୍ରାଉଣ୍ଡରେ ଏହି ହଂକଂ କ୍ରିକେଟ ସିକ୍ସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ନଭେମ୍ବର ୧ରୁ ୩ ପର୍ଯ୍ୟନ୍ତ ଚାଲିବ । ଶୁକ୍ରବାର ମ୍ୟାଚରେ ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୧୯ ରନ ସଂଗ୍ରହ କରିଥିଲା। ତେବେ ପାକିସ୍ତାନ ଦଳ ୬ ଉଇକେଟରେ ଟିମ ଇଣ୍ଡିଆକୁ ପରାସ୍ତ କରିଛି। ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଗୋଟିଏ ଦଳ ୬ ଖେଳାଳିଙ୍କ ସହ ଫିଲ୍ଡକୁ ଓହ୍ଲାଇବା ନିୟମ ରହିଛି।
ସୂଚନାଯୋଗ୍ୟ ଯେ, ରବିନ ଉଥାପ୍ପା ଏବଂ ଭରତ ଚିପଲି ଭାରତ ପାଇଁ ଇନିଂସ ଆରମ୍ଭ କରିଥିବା ବେଳେ ଉଥାପ୍ପା ୮ ଟି ବଲରେ ୩୧ ରନ ସଂଗ୍ରହ କରିଥିଲେ। ଭରତ ୧୬ଟି ବଲରେ ୫୩ ରନ୍ର ଚମତ୍କାର ଇନିଂସ ଖେଳିଥିବା ବେଳେ କେଦାର ଯାଦବ ମାତ୍ର ୮ ରନ ସ୍କୋର କରଥିଲେ। କେଦାରଙ୍କ ପରେ ମନୋଜ ତିୱାରୀ ମାତ୍ର ୭ଟି ବଲରେ ୧୭ ରନ ଇନିଂସ ଖେଳି ଦଳକୁ ୧୧୯ ସ୍କୋରକୁ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଫାହିମ ଆଶ୍ରାଫ ପାକିସ୍ତାନ ପାଇଁ ଉଭୟ ଉଇକେଟ ନେଇଥିଲେ।
ପ୍ରକାଶଥାଉ କି, ୨୦୧୭ ମସିହା ପରେ ହଂକଂ କ୍ରିକେଟ ସିକ୍ସେସ ପୁନର୍ବାର ପ୍ରତ୍ୟାବର୍ତନ କରିଥିବା ବେଳେ ୧୨ଟି ଦେଶ ଏଥର ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିଛନ୍ତି । ପୂର୍ବରୁ କ୍ରିକେଟର ଏହି ଛୋଟ ଫର୍ମାଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ନିୟମ ଅନୁଯାୟୀ ଏହି ଫର୍ମାଟରେ ୱିକେଟକିପର ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ଗୋଟିଏ ଲେଖାଏଁ ଓଭର ବୋଲିଂ କରନ୍ତି ।