ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସରେ ବିଶ୍ବର ସବୁଠାରୁ ଦାମୀ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାର ମେଗା ଅକ୍ସନ ପୂର୍ବରୁ ଖେଳାଳିଙ୍କ ରିଟେନସନ ତାଲିକା ଜାରି କରିଛନ୍ତି ୧୦ଟି ଯାକ ଫ୍ରାଞ୍ଚାଇଜ ଟିମ । ଆଇପିଏଲ ୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପାଞ୍ଚ ଖେଳାଳିଙ୍କୁ ରିଟେନ କରାଯାଇଛି। ସେମାନଙ୍କ ନାମ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଳକ ବର୍ମା।
ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଥିଲା। ସେହି ପ୍ରଦର୍ଶନକୁ ମନେ ପକାଇ ରୋହିତ ଶର୍ମା କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ଦଳ ଭଲ କରିବା ପାଇଁ ଦଳ ତାର ସମସ୍ତ ଚେଷ୍ଟା କରିବ। ଆମେ ମୁମ୍ବାଇକୁ ମଜବୁତ କରିବାକୁ ଚେଷ୍ଟା କରିଛୁ। ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ନିଲାମରେ ଏପରି ଖେଳାଳି ଚୟନ କରିବା ଯିଏ ଆମ ପାଇଁ ମ୍ୟାଚ ବିଜେତା ବୋଲି ପ୍ରମାଣ କରିପାରିବ। ଏନେଇ ଆମେ ସଠିକ ପଦକ୍ଷେପ ଗ୍ରହଣ କରିବୁ ଏବଂ ଦଳ ପାଇଁ ଯାହା ଯୋଗ୍ୟ ତାହା ଗ୍ରହଣ କରିବୁ।’
ଅପରପକ୍ଷରେ ଦଳରେ ନିଜ ସ୍ଥାନକୁ ନେଇ ରୋହିତ ଶର୍ମା କହିଛନ୍ତି ଯେ ଯେଉଁ ସ୍ଥାନରେ ତାଙ୍କୁ ରଖାଯାଇଛି ତାହା ତାଙ୍କ ପାଇଁ ଉପଯୁକ୍ତ ସ୍ଥାନ। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ରୋହିତ କହିଛନ୍ତି ଯେ, ‘ଯେହେତୁ ମୁଁ ଅବସର ନେଇଛି, ତେଣୁ ଏହା ମୋ ପାଇଁ ଏକ ଉପଯୁକ୍ତ। ଆନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଖେଳାଳିଙ୍କୁ ପ୍ରାଥମିକତା ଦିଆଯିବା ଉଚିତ୍।’