ଶ୍ରୀନଗର: ଶୁକ୍ରବାର ରାତିରେ ଉତ୍ତର କଶ୍ମୀରସ୍ଥିତ ବାନ୍ଦିପୋରାରେ ଥିବା ୧୪ ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। କିନ୍ତୁ ସେନାବାହିନୀର ପାଲଟା ଜବାବରେ ଆତଙ୍କବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ଏହି ଆକ୍ରମଣର କିଛି ସମୟ ପୂର୍ବରୁ ଆତଙ୍କବାଦୀମାନେ ବଡ଼ଗାମରେ ଦୁଇ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିବା ବେଳେ ଏହାର ମାତ୍ର କିଛି ସମୟ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଘେରାଉ ଆରମ୍ଭ ହୋଇଥିଲା।
ମିଳିଥିବା ତଥ୍ୟ ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯.୩୦ଟା ବେଳେ ବାନ୍ଦିପୋରା ଜିଲ୍ଲାସ୍ଥିତ ସେନାର କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ସେନା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଜମ୍ମୁ-କଶ୍ମୀରସ୍ଥିତ ବଡଗାମ ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଉତ୍ତରପ୍ରଦେଶର ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଅଧିକାରୀମାନଙ୍କ ପକ୍ଷରୁ ସୂଚନା ମିଳିଛି। ଅଧିକାରୀ କହିଛନ୍ତି ଯେ, ‘କେନ୍ଦ୍ରୀୟ କଶ୍ମୀର ଜିଲ୍ଲାର ମାଗାମର ମାଝାମା ଅଞ୍ଚଳରେ ହୋଇଥିବା ଗୁଳି-ବିନିମୟରେ ସୁଫିୟାନ ଏବଂ ଉସମାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି।’
ପ୍ରକାଶଥାଉ କି, ଅକ୍ଟୋବର ୨୪ରେ ପର୍ଯ୍ୟଟନ କେନ୍ଦ୍ର ଗୁଲମାର୍ଗଠାରୁ ୬ କିଲୋମିଟର ଦୂରରେ ଥିବା ସେନାର ଏକ ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ, ଯେଉଁଥିରେ ୨ ଜଣ ସୈନିକ ସହିଦ ହୋଇଥିବା ବେଳେ ଦୁଇ ଜଣ କୁଲି ନିହତ ହୋଇଥିଲେ। ସେହିପରି ଅନ୍ୟ ଜଣେ କୁଲି ଏବଂ ଜଣେ ସୈନିକ ଆହତ ହୋଇଥିଲେ। ତେବେ ଏହା ପୂର୍ବରୁ ଗତ ଅକ୍ଟୋବର ୨୦ ତାରିଖରେ ଗଣ୍ଡରବାଲର ଗଗନଗିର ଅଞ୍ଚଳରେ ଏକ ସୁଡ଼ଙ୍ଗ ନିର୍ମାଣ ସ୍ଥଳରେ ଆତଙ୍କବାଦୀମାନେ ଜଣେ ସ୍ଥାନୀୟ ଡାକ୍ତର ଓ ୬ ଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ।