ନୂଆଦିଲ୍ଲୀ : ଗତ ଦୁଇ ସପ୍ତାହରୁ ଲଗାତାର ଭାବେ ଭାରତର ବିଭିନ୍ନ ଏୟାରଲାଇନ୍ସ ବିମାନକୁ ବୋମା ଧମକ ମିଳିଥିବା ଦେଖିବାକୁ ମିଳିଛି। ଏହା ଯୋଗୁଁ ସଂପୃକ୍ତ ଏୟାରଲାଇନ୍ସ, ଯାତ୍ରୀଙ୍କ ସମେତ ସରକାର ମଧ୍ୟ ଚିନ୍ତିତ ହୋଇଯାଉଥିବା ଦେଖିବାକୁ ମିଳିଛି । ଏପରି ଘଟିବା ପରେ ଘଟଣା ସମ୍ପର୍କରେ ବ୍ୟାପକ ଖୋଳତାଡ଼ କରିବା ପରେ ପୂର୍ବରୁ ମାତ୍ର ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଶୁକ୍ରବାର ମହାରାଷ୍ଟ୍ର ପୋଲିସ ଗୁରୁବାର ନାଗପୁରରୁ ଆଉ ଜଣେ ବ୍ୟକ୍ତିକୁ ଗିରଫ କରିଛି। ତେବେ ପ୍ରାଥମିକ ତଦନ୍ତରୁ ସେହି ବ୍ୟକ୍ତି ଜଣକ ୩୦ଟି ବିମାନକୁ ବୋମା ଧମକ ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ବିମାନଗୁଡିକରେ ବୋମା ଧମକ ହେଉଥିବା ଖବର ମିଳୁଥିବା ବେଳେ ଶୁକ୍ରବାର ସେଥିମଧ୍ୟରୁ ଜଣେ ଅଭିଯୁକ୍ତ ଯିଏକି ଗତ ଅକ୍ଟୋବର ୨୫ରୁ ୩୦ ତାରିଖ ମଧ୍ୟରେ ୩୦ଟି ବିମାନକୁ ବୋମା ଦେଇଥିଲା, ତାକୁ ଗିରଫ କରାଯାଇଛି। ଏହି ଧମକ ଶ୍ରୀରାମ ଉଇକି ନାମକ ଜଣେ ବ୍ୟକ୍ତି ଦେଇଥିବା ସ୍ବୀକାର କରିଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପୂର୍ବରୁ ଅଭିଯୁକ୍ତ ଜଣକ କେବଳ ବିମାନ ନୁହେଁ ବରଂ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ ଏବଂ ରାଜ୍ୟର ଅନ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଧମକ ଦେଇଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ଗତ ଅକ୍ଟୋବର ୨୧ରେ ଶ୍ରୀରାମ ପଠାଇଥିବା ଇ-ମେଲରେ ଉଲ୍ଲେଖ ଥିଲା ଯେ ଆତଙ୍କବାଦୀମାନେ ବୋମା ଦ୍ୱାରା ୬ଟି ବିମାନବନ୍ଦରକୁ ଉଡାଇବାକୁ ଏବଂ ବିଭିନ୍ନ ଏୟାରଲାଇନ୍ସର ୩୧ଟି ବିମାନକୁ ଉଡାଇ ଦେବେ ବୋଲି ଯୋଜନା ପ୍ରସ୍ତୁତ କରିଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ କେରଳ ପୁଲିସ ଏହି ପ୍ରସଙ୍ଗରେ ପାଲାକାଡ୍ ଜିଲାରୁ ମହମ୍ମଦ ଇଜାଜ୍ ନାମକ ଜଣେ ୨୬ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଛି।