ଆସନ୍ତା ୨୦୩୬ ମସିହାରେ ଭାରତରେ ଏହି ଅଲିମ୍ପିକ୍ସ ଆୟୋଜନ ନେଇ ଭାରତ ସ୍ବପ୍ନ ଦେଖୁଥିବା ବେଳେ ଏହାର ଆୟୋଜକ ସହର ହେବାକୁ ଯାଉଛି ଗୁଜୁରାଟର ଅହମ୍ମଦାବାଦ । ତେବେ ଭାରତରେ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ ନେଇ ଭାରତୀୟ ଅଲିମ୍ପିକ୍ ସଂଘ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି। ସେଥିପାଇଁ ୨୦୩୬ ମସିହାରେ ଭାରତରେ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକାଶ କରି ଗତ ଅକ୍ଟୋବର ୧ ତାରିଖରେ ଭାରତୀୟ ଅଲିମ୍ପିକ୍ ସଂଘ ପକ୍ଷରୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ଫ୍ୟୁଚର ହୋଷ୍ଟ କମିଶନଙ୍କୁ ଚିଠି ଲେଖାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୩୬ ମସିହାରେ ଅଲିମ୍ପିକ୍ସ ଆୟୋଜିତ ହେବାକୁ ଯାଉଥିବା ବେଳେ ଆୟୋଜକ ସହର ଗୁଜୁରାଟର ଅହମ୍ମଦାବାଦ ହେବା ନେଇ ସୂଚନା ପ୍ରକାଶ ପାଇଛି । ପୂର୍ବରୁ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସକୁ ଭାରତରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ପ୍ୟାରିସ୍ ଅଲିମ୍ପିୟାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ସେହି ସମୟରେ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ପାଇଁ ପରାମର୍ଶ ଦେବାକୁ ଅଲିମ୍ପିୟାନ୍ସଙ୍କୁ କହିଥିଲେ। ତେବେ ୨୦୩୬ ମସିହାରେ ଏହାର ଆୟୋଜନକୁ ନେଇ ଭାରତ ଆଇଏଏନଏସ ପ୍ରକାଶ କରିଛି ଯେ, ‘୨୦୩୬ ମସିହାରେ ଭାରତରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଗେମ୍ସ ଆୟୋଜନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି କ୍ରୀଡା ମହାକୁମ୍ଭ ଦେଶକୁ ଯଥେଷ୍ଟ ଲାଭ ଦେବାର ସମ୍ଭାବନା ରହିଛି । ଏହା ସମଗ୍ର ଦେଶରେ ଅର୍ଥନୈତିକ ବିକାଶ, ସାମାଜିକ ପ୍ରଗତି ଏବଂ ଯୁବ ସଶକ୍ତିକରଣକୁ ପ୍ରୋତ୍ସାହିତ କରିପାରିବ।’
ପ୍ରକାଶଥାଉ କି, ୨୦୨୩ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ୧୪୧ ତମ ଆଇଓସି ସମ୍ମିଳନୀରେ ମୋଦି ୨୦୩୬ ମସିହାରେ ଅଲିମ୍ପିକ ଗେମ୍ସ ଭାରତରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ”୨୦୩୬ ମସିହାରେ ଭାରତ ମାଟିରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଆମେ ଆମର ଉଦ୍ୟମ ଜାରି ରଖିବୁ। ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ବର୍ଷ ବର୍ଷର ସ୍ୱପ୍ନ ଏବଂ ଆକାଂକ୍ଷା । ଏହି ସ୍ବପ୍ନଙ୍କୁ ଆପଣମାନହଙ୍କ ସହଯୋଗ ଓ ସମର୍ଥନରେ ପୁରା କରିବାକୁ ପଡିବ ।”
ଅପରପକ୍ଷରେ ୨୦୩୬ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବା ପାଇଁ ସମୁଦାୟ ୧୦ଟି ଦେଶ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ଏଥିମଧ୍ୟରେ ପ୍ରମୁଖ ଆଗ୍ରହୀ ଥିବା ଦେଶ ଗୁଡିକ ହେଲା ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ , ଭାରତ, ପୋଲାଣ୍ଡ , ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ।