ଶ୍ରୀନଗର: ବୁଧବାର ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି ମୁଶାଲ ହୁସେନ୍ ମାଲ୍ଲିକ। ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ) ମୁଖ୍ୟ ତଥା ଆତଙ୍କବାଦୀ ୟାସିନ ମାଲ୍ଲିକଙ୍କ ପତ୍ନୀ ମୁଶାଲ ହୁସେନ୍ ମାଲ୍ଲିକ ଜେଲରେ ଥିବା ୟାସିନଙ୍କ ବିଷୟରେ ସଂସଦରେ ପ୍ରସଙ୍ଗ ଉଠାଇବାକୁ ନିବେଦନ କରି ଏହି ଚିଠି ଲେଖିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜେକେଏଲଏଫର ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ ମାଲ୍ଲିକଙ୍କ ପ୍ରସଙ୍ଗ ସଂସଦରେ ଉପସ୍ଥାପନ କରିବା ନେଇ ତାଙ୍କ ପତ୍ନୀ ମୁଶାଲ ହୁସେନ୍ ମାଲ୍ଲିକ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ବୁଧବାର ଚିଠି ଲେଖିଛନ୍ତି। ମୁଶାଲ ମାନବ ଅଧିକାର ତଥା ମହିଳା ସଶକ୍ତିକରଣ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହାୟିକା ରହି ସାରିଥିବାବେଳେ ରାହୁଲ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ୩୦ ବର୍ଷର ପୁରୁଣା ଦେଶଦ୍ରୋହ ମାମଲାରେ ୟାସିନ ମାଲ୍ଲିକଙ୍କ ବିରୋଧରେ ଚାଲିଥିବା ମକଦ୍ଦମା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଶାଲ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ଜେଲରେ ହେଉଥିବା ଅମାନୁଷିକ ତଥା ଅକଥନୀୟ ବ୍ୟବହାରକୁ ବିରୋଧ କରି ୟାସିନ ଗତ ନଭେମ୍ବର ୨ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ଥିବା ବେଳେ ବର୍ତ୍ତମାନ ସେ ଅସ୍ତ୍ର ଛାଡି ଅହିଂସା ପଥ ଅନୁସରଣ କରୁଛନ୍ତି। ତେବେ ୟାସିନଙ୍କ ଏହି ଅନଶନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇପାରେ।’
ତେବେ ଏହାସହ ଜମ୍ମୁ କଶ୍ମୀରରେ ଶାନ୍ତି ବଜାୟ ରଖିବାରେ ୟାସିନ ମାଲ୍ଲିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ମୁଶାଲ ଦାବି କରିବା ସହ ମିଥ୍ୟା ମାମଲାରେ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ମୁଶାଲ ଚିଠିରେ ଉଲ୍ଲେଖ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମୁଶାଲ ହୁସେନ ରାହୁଲ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ୨୦୧୯ ମସିହାରୁ ବିଜେପି ସରକାର ୟାସିନ ମାଲ୍ଲିକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିବା ସହିତ ତାଙ୍କୁ ଗତ ୩୫ ବର୍ଷ ପୁରୁଣା ମାମଲାରେ ଫସାଇ ଦିଆଯାଇଥିବା କହିଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଏନଆଇଏ ତାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରୁଥିବା ବେଳେ ମୁଶାଲ ଚିଠିରେ ଲେଖିଛନ୍ତି ଯେ, “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ସଂସଦରେ ଆପଣଙ୍କ ଉଚ୍ଚ ନୈତିକ ଏବଂ ରାଜନୈତିକ ପ୍ରଭାବ ବ୍ୟବହାର କରନ୍ତୁ। ୟାସିନ ମାଲ୍ଲିକଙ୍କ ମାମଲା ଉପରେ ଆଲୋଚନା ଦ୍ୱାରା ଜାମ୍ମୁ କାଶ୍ମୀରରେ ଦେଖାଣିଆ ନୁହେଁ ବରଂ ପ୍ରକୃତ ଶାନ୍ତି ଫେରିପାରିବ।”
ପ୍ରକାଶଥାଉ କି, ଆତଙ୍କବାଦୀ ମାନଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଦୀର୍ଘଦିନରୁ ଜେକେଏଲଏଫର ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ ମାଲ୍ଲିକ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମକଦ୍ଦମା ଚାଲିଛି। ୨୦୧୭ ମସିହାରେ ୟାସିନଙ୍କ ସମେତ ଅନେକ ବ୍ୟକ୍ତିଙ୍କ ବିରୋଧରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏକ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା। ଏହି ମାମଲାରେ ଏନଆଇଏ ପକ୍ଷରୁ ତାଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରାଯାଇଥିବା ବେଳେ ୨୦୨୨ ମସିହାରେ ନିମ୍ନ ଅଦାଲତ ୟାସିନ ମାଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।