ବେରୁତ: ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାକୁ ବିରୋଧ କରି ଏହାକୁ ନିପାତ କରିବା ଉଦ୍ଦେଶ୍ୟରେ ଇସ୍ରାଏଲ ପକ୍ଷରୁ ଘନ ଘନ ଆକ୍ରମଣ କରାଯାଉଛି। ବୁଧବାର ଲେବାନନର ବେକା ଉପତ୍ୟକାର ପୂର୍ବାଞ୍ଚଳରେ ଥିବା ବାଲବେକ୍ ନିକଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଅତି କମ୍ ୪୦ ଜଣଙ୍କ ପ୍ରାଣହାନୀ ଘଟିଛି।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନରୁ ଇସ୍ରାଏଲର ଆଇଡ଼ିଏଫ ପକ୍ଷରୁ ଲଗାତାର ଆକ୍ରମଣ ଜାରି ରହିଛି। ଲେବାନନର ବେକା ଉପତ୍ୟକାର ପୂର୍ବାଞ୍ଚଳ ସମେତ ବେରୁଟର ଦକ୍ଷିଣ ଉପକଣ୍ଠରେ ମଧ୍ୟ ଇସ୍ରାଏଲ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଲେବାନନର ଦକ୍ଷିଣ ଓ ପୂର୍ବାଞ୍ଚଳରେ ଇସ୍ରାଏଲ ସୈନ୍ୟମାନେ ବୋମାମାଡ଼ ତଥା ଏୟାର ଷ୍ଟ୍ରାଇକ୍ ତୀବ୍ର କରିବା ସହ ସୀମାନ୍ତ ଗାଁଗୁଡ଼ିକରେ ଅନୁପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଏନେଇ ବେରୁଟ ଗଭର୍ଣ୍ଣର ବାଚିର ଖୋଦାର ଏକ୍ସ ଦ୍ୱାରା ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ବାଲବେକ୍-ହାର୍ମେଲ୍ ଗଭର୍ଣ୍ଣରଙ୍କ ଉପରେ ଇସ୍ରାଏଲର ପ୍ରାୟ ୪୦ଟି ଆକ୍ରମଣରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪ ଜଣ ଆହତ ହୋଇଛନ୍ତି। କିନ୍ତୁ ଇସ୍ରାଏଲ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟିକରଣ ମିଳିନାହିଁ।
ଅପରପକ୍ଷରେ ଇସ୍ରାଏଲର ଉତ୍ତର ମେଟୁଲା ସହର ଉପକଣ୍ଠରେ ରକେଟ୍ ଆକ୍ରମଣ କରିଥିବା ହେଜବୋଲ୍ଲାର କମାଣ୍ଡର ହୁସେନ ଅବ୍ଦ ଅଲ-ହଲିମ ହାର୍ବ ଦକ୍ଷିଣ ଲେବାନନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ସୂଚନା ମିଳିଛି । ଏନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବୁଧବାର ସକାଳେ ସୂଚନା ଦେଇଛି।