ନୂଆଦିଲ୍ଲୀ : କିଛିଦିନ ତଳେ କୋଲକାତା ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହାର ତଦନ୍ତ କରିବା ପାଇଁ ଜାତୀୟ ଟାସ୍କ ଫୋର୍ସଙ୍କୁ ନିଯୁକ୍ତ କରାଯାଇଥିଲା । ତେବେ ଜାତୀୟ ଟାସ୍କ ଫୋର୍ସ ପ୍ରସ୍ତୁତ କରିଥିବା ରିପୋର୍ଟକୁ ନେଇ ଗୁରୁବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ସୁପ୍ରିମ କୋର୍ଟ। ଜାତୀୟ ଟାସ୍କ ଫୋର୍ସ ପକ୍ଷରୁ ମିଳିଥିବା ରିପୋର୍ଟକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ସମେତ ଡାକ୍ତର ସଂଘକୁ ଉପଲବ୍ଧ କରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଜଷ୍ଟିସ ଜେ.ବି.ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୧୧ ତାରିଖରୁ କୋଲକାତାର ଏକ ସ୍ୱତନ୍ତ୍ର ଅଦାଲତରେ ଶୁଣାଣି ଆରମ୍ଭ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଏହି ମାମଲାର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଶୁଣାଣି ଆରମ୍ଭ ହେବା ନେଇ କୋର୍ଟ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଏହା ସହିତ ତାଲିକାଭୁକ୍ତ ହେବାର ପରବର୍ତ୍ତୀ ତାରିଖ ପୂର୍ବରୁ ସିବିଆଇକୁ ଏକ ନୂତନ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କୋଲକାତା ଆର.ଜି କର ହସ୍ପିଟାଲ ମାମଲାରେ ଜାତୀୟ ଟାସ୍କ ଫୋର୍ସ ପକ୍ଷରୁ ଦୁଇଟି ବର୍ଗରେ ସୁପାରିସ ପ୍ରସ୍ତୁତ ହୋଇଛି। ପ୍ରଥମ, ଡାକ୍ତରୀ ବୃତ୍ତିଜୀବୀଙ୍କ ବିରୋଧରେ ହିଂସା ରୋକିବା ସହିତ ସୁରକ୍ଷିତ କାର୍ଯ୍ୟ ପରିସ୍ଥିତି ପ୍ରଦାନ କରିବା ଏବଂ ଦ୍ୱିତୀୟ, ଡାକ୍ତରଙ୍କ ବିରୋଧରେ ଯୌନ ହିଂସା ରୋକିବା।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆର୍ ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପଶ୍ଚିମବଙ୍ଗ ବାହାରକୁ ସ୍ଥାନାନ୍ତର କରିବାକୁ ମନା କରିଦେଇଥିବା ବେଳେ ଜଣେ ଓକିଲଙ୍କ ମୌଖିକ ପ୍ରାର୍ଥନାକୁ ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଥିଲେ। ଏନେଇ ଖଣ୍ଡପୀଠ କହିଥିଲେ ଯେ ମଣିପୁରରେ ଲିଙ୍ଗଗତ ହିଂସା ମାମଲାକୁ କୋର୍ଟ ସ୍ଥାନାନ୍ତର କରିଥିବା ବେଳେ ଏହି ମାମଲାରେ ସେଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ।
ପ୍ରକାଶଥାଉ କି, ଚଳିତ ବର୍ଷ ଅଗଷ୍ଟ ମାସରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ଜାତୀୟ ଟାସ୍କ ଫୋର୍ସ ଗଠନ କରିଥିଲେ।