ପୂର୍ଣ୍ଣିଆ: ଗତ କିଛି ଦିନ ପୂର୍ବରୁ ବିହାରର ପୂର୍ଣ୍ଣିଆରୁ ଲୋକସଭା ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ଦିଆଯାଇଥିଲା । ତେବେ ପୁଣି ଥରେ ଧମକ ମିଳିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ଏହି ଧମକ ଦେଇଛି । ପପୁ ଯାଦବଙ୍କ ଅଫିସକୁ ଏହି ଧମକପୂର୍ଣ୍ଣ ମେସେଜ ଓ କଲ୍ ଆସିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତି ୨ଟା ଏବଂ ପୁଣି ଗୁରୁବାର ସକାଳେ ପପୁ ଯାଦବଙ୍କ ପିଏଙ୍କୁ ଧମକଭରା କଲ୍ ଓ ମେସେଜ ଆସିଥିଲା । ଏ ନେଇ ସେ ପୋଲିସରେ ମାମଲା ପଞ୍ଜିକୃତ କରାଇଥିବା ସୂଚନା ମିଳିଛି । ପପୁଙ୍କୁ ହ୍ୱାଟସଆପ ଜରିଆରେ ଧମକ ଦିଆଯାଇଥିବା ସୂଚନା ଦେଇ ସେ ହ୍ୱାଟସଆପ ଚାଟର ସ୍କ୍ରିନଶଟ୍ ମଧ୍ୟ ସେୟାର କରିଛନ୍ତି। ଏହା ଏବେ ଖୁବ୍ ଭାଇରାଲ ହେଉଥିବା ବେଳେ ମେସେଜ ଓ କଲ୍ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଦାବି କରିଥିବା କୁହାଯାଉଛି ।
ପ୍ରକାଶଥାଉ କି, କିଛି ଦିନ ତଳେ ପପୁ ଯାଦବ ବିଷ୍ଣୋଇ ଗ୍ୟାଙ୍ଗ ଦ୍ଵାରା ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମିଳିଥିବା ଧମକକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ସେ ଯଦି ଆଇନ ତାଙ୍କୁ ଅନୁମତି ଦିଏ ସେ ୨୪ ଘଣ୍ଟା ଭିତରେ ଲରେନ୍ସ ବିଷ୍ଣୋଇ ଭଳି ୨ ଟଙ୍କାର ଅପରାଧୀର ନେଟଓ୍ବର୍କକୁ ଧ୍ବଂସ କରିଦେବି ବୋଲି କହିଥିଲେ। ଏହାର କିଛି ଦିନ ପରେ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏଥିରେ କୁହାଯାଇଥିଲା ଯେ ସଲମାନ ଖାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ । ତେବେ ତାଙ୍କୁ ଧମକ ମିଳିବା ପରେ ସେ ନିଜ ପାଇଁ ସୁରକ୍ଷା ବଢ଼ାଇବାକୁ କେନ୍ଦ୍ରକୁ ଦାବି କରିଥିଲେ । ପପୁ ଯାଦବଙ୍କୁ ଏବେ ‘ୱାଇ’ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ସେ କିନ୍ତୁ ‘ଜେଡ୍’ ବର୍ଗର ସୁରକ୍ଷା ଚାହୁଁଛନ୍ତି ।