ନୂଆଦିଲ୍ଲୀ: ଶୁକ୍ରବାର ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଶେଷ କାର୍ଯ୍ୟ ଦିବସ। ଶୁକ୍ରବାର ଚନ୍ଦ୍ରଚୂଡ ଅବସର ଗ୍ରହଣ କରୁଥିବା ବେଳେ ଏହା ପରଠାରୁ ତାଙ୍କୁ ଆଉ କଳା ପୋଷାକରେ ଦେଖିବାକୁ ମିଳିବନି । ତେବେ ତାଙ୍କ କାର୍ଯ୍ୟଦିବସର ଶେଷ ଦିନରେ ସୁପ୍ରିମକୋର୍ଟରୁ ବଡ ନିର୍ଣ୍ଣୟ ଆସିବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟଙ୍କ ଏହି ସାମ୍ବିଧାନିକ ପୀଠରେ ବିଚାରପତି ତଥା ପରବର୍ତ୍ତୀ ସିଜେଆଇ ସଞ୍ଜୀବ ଖାନ୍ନା, ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେବି ପାରଦିବାଲା, ଦୀପଙ୍କର ଦତ୍ତ, ମନୋଜ ମିଶ୍ର ଓ ଏସସି ଶର୍ମା ସାମିଲ ଥିବା ବେଳେ ଚଳିତ ବର୍ଷ ଜାନୁଆରୀ ୧୦ରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଏହି ମାମଲାରେ ଶୁଣାଣି ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସୁପ୍ରିମ କୋର୍ଟରେ ଡି.ୱାଇ ଚନ୍ଦ୍ରଚୂଡଙ୍କ ଶେଷ କାର୍ଯ୍ୟ ଦିବସ ହୋଇଥିବା ବେଳେ କୋର୍ଟଙ୍କ ସାତ ଜଣିଆ ସାମ୍ବିଧାନିକ ପୀଠ ଅଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟ(ଏଏମୟୁ)କୁ ସମ୍ବିଧାନର ଅନୁଚ୍ଛେଦ ୩୦ ଆଧାରରେ ସଂଖ୍ୟାଲଘୁ ସଂସ୍ଥାର ମାନ୍ୟତା ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇବେ। ଏହି ମାମଲା ୨୦୦୬ ମସିହାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିରୁ ଉଠିଥିଲା । ଏହି ସମୟରେ ହାଇକୋର୍ଟ ପ୍ରକାଶ କରିଥିଲେ ଯେ, ୧୯୨୦ ମସିହାରେ ନିର୍ମିତ ଆଇନ ଆଧାରରେ ସ୍ଥାପିତ ଏଏମୟୁ ଏକ ସଂଖ୍ୟାଲଘୁ ସଂସ୍ଥା ନୁହେଁ ।
ତେବେ ଶୁକ୍ରବାର ଯଦି ଶୁଣାଣିରେ ଏଏମୟୁକୁ ସଂଖ୍ୟାଲଘୁ ସଂସ୍ଥା ବୋଲି ବିବେଚନା କରା ନ ଯାଏ ତେବେ ଏହାକୁ ସାର୍ବଜନୀନ ବିଶ୍ୱବିଦ୍ୟାଳୟ ପରି ସଂରକ୍ଷଣ ନୀତି ଲାଗୁ କରିବାକୁ ପଡିବ । କିନ୍ତୁ ଯଦି ଏହାକୁ ସଂଖ୍ୟାଲଘୁ ସଂସ୍ଥାର ମାନ୍ୟତା ମିଳେ ତେବେ ବିଶ୍ୱ ବିଦ୍ୟାଳୟରେ ୫୦ ପ୍ରତିଶତ ସିଟ୍ ମୁସଲିମ ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖାଯାଇପାରେ । ବର୍ତ୍ତମାନ ଏଏମୟୁରେ ରାଜ୍ୟର ସଂରକ୍ଷଣ ନୀତି ଲାଗୁ ନ ହୋଇ ବିଦ୍ୟାର୍ଥୀଙ୍କ ପାଇଁ ଏକ ଆଭ୍ୟନ୍ତରୀଣ ସଂରକ୍ଷଣ ନୀତି ଲାଗୁ ହୋଇଛି । ଏଥିରେ ୫୦% ସିଟ୍ ସ୍କୁଲ ଓ କଲେଜରୁ ଆସିଥିବା ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖାଯାଉଛି।
ପ୍ରକାଶଥାଉ କି, ୧୯୬୭ ମସିହାରେ ଏସ ଅଜିଜ ବାଶା ବନାମ ୟୁନିୟନ ଅଫ ଇଣ୍ଡିଆ ମାମଲାର ଶୁଣାଣି ସମୟରେ ପାଞ୍ଚ ଜଣିଆ ଖଣ୍ଡପୀଠ କହିଥିଲେ ଯେ, ଏଏମୟୁ ଏକ ସଂଖ୍ୟାଲଘୁ ସଂସ୍ଥା ନୁହେଁ । କାରଣ ଏହାକୁ ନା ମୁସଲିମ ସମୁଦାୟ ନିର୍ମାଣ କରିଥିଲେ ନା ଏହାର ସଂଚଳନ କରିଥିଲେ । ତେବେ ୧୯୮୧ ମସିହାରେ ଏଏମୟୁ ଆକ୍ଟରେ ସଂଶୋଧନ କରାଯାଇ କୁହାଗଲା ଯେ, ଏହି ବିଶ୍ୱ ବିଦ୍ୟାଳୟର ସ୍ଥାପନା ଭାରତର ମୁସଲମାନଙ୍କ ଦ୍ୱାରା କରାଯାଇଥିଲା । ଏହାପରେ ୨୦୦୫ ମସିହାରେ ଏଏମୟୁ ନିଜକୁ ସଂଖ୍ୟାଲଘୁ ସଂସ୍ଥା ଦର୍ଶାଇ ସ୍ନାତକୋତ୍ତର ପାଠ୍ୟକ୍ରମରେ ୫୦% ସିଟ୍ ମୁସଲିମ ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖିଥିଲା । ଏହାକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଥିଲେ ।