ନୂଆଦିଲ୍ଲୀ: ଶୁକ୍ରବାର ଗ୍ରୀଷ୍ମକାଳୀନ ଅବକାଶକୁ ନେଇ ସୁପ୍ରିମକୋର୍ଟ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ନୂତନ ନିଷ୍ପତ୍ତି ଅନୁଯାୟୀ ଏବେଠାରୁ ଗ୍ରୀଷ୍ମକାଳୀନ ଅବକାଶକୁ ‘ଆଂଶିକ କାର୍ଯ୍ୟ ଦିବସ’ ବା ‘ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ’ ରୂପେ ବିବେଚନା କରାଯିବ । ନିଜ କାର୍ଯ୍ୟଦିବସର ଶେଷଦିନ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ସମାପ୍ତ କରି ଏହାକୁ କେବଳ ଆଂଶିକ କାର୍ଯ୍ୟ ଦିବସ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୨୫ ମସିହାର ନ୍ୟାୟାଳୟ କ୍ୟାଲେଣ୍ଡରରେ ଗ୍ରୀଷ୍ମକାଳୀନ ଅବକାଶକୁ ‘ଆଂଶିକ କାର୍ଯ୍ୟ ଦିବସ’ ରୂପେ ନାମିତ କରାଯାଇଛି । ତେବେ ଲାଗୁ ହୋଇଥିବା ସଂଶୋଧିତ ନିୟମ ଅନୁସାରେ, ଆଂଶିକ କାର୍ଯ୍ୟ ଦିବସ ୨୦୨୫ ମସିହା ମେ ମାସ ୨୬ ତାରିଖରୁ ଆରମ୍ଭ ହେବ ଓ ପୂର୍ଣ୍ଣ କାର୍ଯ୍ୟ ଦିବସ ଜୁଲାଇ ୧୪ରୁ ଆରମ୍ଭ ହେବ ।
ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିବର୍ଷ ଦୁଇଟି ଅଧିବେଶନ ପାଇଁ ବସିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରଥମ ଅଧିବେଶନ ଆଂଶିକ କାର୍ଯ୍ୟ ଦିବସ ସହିତ ଆରମ୍ଭ ହୋଇ ଶୀତକାଳୀନ ଅବକାଶର ଠିକ୍ ଗୋଟିଏ ଦିନ ପୂର୍ବରୁ ସମାପ୍ତ ହେବ । ଏହିପରି ଦ୍ଵିତୀୟ ଅଧିବେଶନ ଶୀତକାଳୀନ ଅବକାଶ ଶେଷରୁ ଆରମ୍ଭ ହେବ ।
ଏହାରି ମଧ୍ୟରେ ଆଂଶିକ କାର୍ଯ୍ୟ ଦିବସର ଅବଧି ପ୍ରଧାନ ବିଚାରପତିଙ୍କ ଦ୍ୱାରା ସ୍ଥିର କରାଯାଇ ଏହି ଅବଧି ସମୟରେ ମାମଲାଗୁଡ଼ିକର ଶୁଣାଣି ପାଇଁ ଜଣେ କିମ୍ବା ଏକାଧିକ ବିଚାରପତିଙ୍କୁ ନିଯୁକ୍ତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ବିଚାରପତିମାନେ ସମସ୍ତ ଆଡମିଶନ ମାମଲା, ନୋଟିସ୍ ପରବର୍ତ୍ତୀ ମାମଲା, ନିୟମିତ ମାମଲା କିମ୍ବା ତତ୍କାଳ ମାମଲାଗୁଡ଼ିକର ବିଚାର କରିବେ ।
ପ୍ରକାଶଥାଉ କି, ଶୁକ୍ରବାର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କ ଶେଷ କାର୍ଯ୍ୟ ଦିବସ ହୋଇଥିବା ବେଳେ ୨୦୨୨ ମସିହା ନଭେମ୍ବର ୯ ତାରିଖରେ ସେ ପଦଭାର ଗ୍ରହଣ କରିଥିଲେ । ତେବେ ପରବର୍ତ୍ତୀ ବିଚାରପତି ଭାବେ ସଞ୍ଜୀବ ଖାନ୍ନା ସର୍ବୋଚ୍ଚ ଅଦାଲତର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ।