କୋଲକାତା: ଶନିବାର ସକାଳେ ପଶ୍ଚିମବଙ୍ଗ ହାୱଡ଼ା ନିକଟରେ ରେଳ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ସିକନ୍ଦରାବାଦ୍-ସାଲିମାର୍ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି କୋଚ୍ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣା ଯୋଗୁଁ ପ୍ରାୟ ୧୫ ଜଣରୁ ଅଧିକ ଆହତ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମୃତାହତ ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ ଯେ, ଶନିବାର ଭୋର ୫.୩୧ ସମୟରେ ହାଓ୍ବଡା ନିକଟସ୍ଥ ନାଲପୁର ଷ୍ଟେସନ ନିକଟରେ ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍ ସିକନ୍ଦରାବାଦ୍-ସାଲିମାର୍ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏହି ଟ୍ରେନର ନମ୍ବର ୨୨୮୫୦ ହୋଇଥିବା ବେଳେ ଦୁର୍ଘଟଣାରେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଲଓ୍ୱେର ଜନସମ୍ପର୍କ ଅଧିକାରୀ। ଦୁର୍ଘଟଣାରେ ହୋଇଥିବା ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଦକ୍ଷିଣ-ପୂର୍ବାଞ୍ଚଳ ରେଳବାଇ କହିଛି ଯେ, “ପାର୍ସଲ୍ ଭ୍ୟାନ୍ ଏବଂ ୨୨୮୫୦ ସିକନ୍ଦରାବାଦ୍-ସାଲିମାର୍ ସାପ୍ତାହିକ ଏକ୍ସପ୍ରେସର ଦୁଇଟି କୋଚ୍ ଖଡ଼ଗପୁର ଡିଭିଜନର ନାଲପୁର ଷ୍ଟେସନ ଦେଇ ଯାଉଥିବା ବେଳେ ଆଜି ସକାଳ ୫.୩୧ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ପହଞ୍ଚି ରେଳ ବିଭାଗ ଉଦ୍ଧାର ଓ ମରାମତି କାର୍ଯ୍ୟ କରୁଥିବା ବେଳେ ଏହି ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଏକ ଟ୍ରେନ୍ ଓ ଡାକ୍ତରୀ ସୁବିଧା ଯୋଗାଇ ଦିଆଯାଇଛି। ତେବେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଛାଡ଼ିବା ପାଇଁ ବସ୍ ମଧ୍ୟ ଯୋଗାଡ଼ କରାଯାଇଛି।”