ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ଶୀତର ଲହରୀ ଅନୁଭୂତ ହେଉଥିବା ବେଳେ ଉତ୍ତର ଭାରତର ଅନେକ ସହରରେ ଏବେ ଶୀତର ପ୍ରଭାବ ଦିନରେ ମଧ୍ୟ ଦେଖାଯିବା ଆରମ୍ଭ ହେଲାଣି। ଥଣ୍ଡା ପବନ ସହିତ ବାୟୁମଣ୍ଡଳରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି। ସେଥିପାଇଁ ଉତ୍ତର ଭାରତରେ ଚଳାଚଳ କରୁଥିବା ଟ୍ରେନ୍ ଗୁଡିକ ବିଳମ୍ବ ହେବାର ସମ୍ଭାବନା ରହିଛି। ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ ରାତି ତାପମାତ୍ରା ୧୦ ରୁ ୨୦ ଡିଗ୍ରୀ ମଧ୍ୟରେ ରେକର୍ଡ କରାଯାଇଥିବା ସୂଚନା ମିଳିଛି। ଏହି ସମୟରେ ରାତି ସମୟରେ ଥଣ୍ଡା ଏବଂ ଦିନରେ ଗରମ ଅନୁଭୂତ ହେଉଥିବା ବେଳେ ଏହି ସମୟରେ ତାପମାତ୍ରା ୩୦ ରୁ ୩୬ ଡିଗ୍ରୀ ମଧ୍ୟରେ ରେକର୍ଡ ହେଉଛି।
ଅପରପକ୍ଷରେ, ଶନିବାର ଦିଲ୍ଲୀ-ଏନସିଆରରେ ସର୍ବାଧିକ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିବା ବେଳେ କୁହୁଡ଼ିର ଆବରଣ ଦେଖାଯାଇଛି। ସେହିପରି ପୂର୍ବ ଉତ୍ତରପ୍ରଦେଶର କିଛି ସ୍ଥାନରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୧୬ ସୁଦ୍ଧା ପଶ୍ଚିମ ହିମାଳୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଥିବା ବେଳେ ଏହାପରେ ଶୀତର ପ୍ରଭାବ ବୃଦ୍ଧି ପାଇବ। ଅପରପକ୍ଷରେ ରବିବାର ଦକ୍ଷିଣ ଭାରତର କେତେକ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି।