ପୁରୀ : ଆସନ୍ତା ଡିସେମ୍ବର ୪ ତାରିଖରେ ଓଡ଼ିଶାଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ପୁରୀରେ ଆୟୋଜିତ ହେବାକୁ ଥିବା ନୌସେନା ଦିବସ ପାଳନ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାଗସ୍ତରେ ଆସୁଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ପୁରୀସ୍ଥିତ ବ୍ଲୁ ଫ୍ଲାଗ ବିଚରେ ନୌସେନାର ଅପରେସନାଲ ଡେମନଷ୍ଟ୍ରେସନ ପ୍ରଦର୍ଶନ ହେବ ନେଇ ସୂଚନା ମିଳିଛି ।
ଏଥିପାଇଁ ନୌସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ତଥା ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିବା ପାଇଁ ଭାରତୀୟ ନୌସେନା, ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
ଅପରପକ୍ଷରେ ସମୁଦ୍ର କୂଳରୁ ସିଧାସଳଖ ଏହି ପ୍ରଦର୍ଶନକୁ ଦେଖିବା ପାଇଁ ଦର୍ଶକ ଓ ପର୍ଯ୍ୟଟଙ୍କ ପାଇଁ ବସିବାର ବ୍ୟବସ୍ଥା ସହିତ ଜାତୀୟ ଟେଲିଭିଜନରେ ଏହାର ସିଧା ପ୍ରସାରଣ ଏବଂ ଭାରତୀୟ ନୌସେନାର ୟୁଟ୍ୟୁବ ଚ୍ୟାନେଲରେ ଏହାର ପ୍ରସାରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ପ୍ରକାଶଥାଉ କି, ଗତ ୨୦୨୨ ମସିହା ଡିସେମ୍ବର ୪ ତାରିଖରେ ବିଶାଖାପାଟଣାରେ ଆୟୋଜିତ ହୋଇଥିବା ନୌସେନା ଦିବସରେ ମଧ୍ୟ ରାଷ୍ଟ୍ରପତି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ।