ପୁରୀ: ରବିବାର ଅନୁଷ୍ଠିତ ହେଉଛି ପବିତ୍ର ଅଁଳା ନବମୀ। ସେଥିପାଇଁ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶସାଙ୍ଗକୁ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ବର୍ଷକରେ ଗୋଟିଏଦିନ ଶ୍ରୀରାଧାଙ୍କର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ହୋଇଥାଏ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାତ୍ର ୧ଟାରୁ ଦ୍ୱାର ଫିଟା ନୀତି ସମ୍ପନ୍ନ ହୋଇଥିବା ବେଳେ ୧.୩୦ରେ ମଙ୍ଗଳ ଆଳତି ଏବଂ ଏହାପରେ ୧.୩୦ରୁ ୩ଟା ମଧ୍ୟରେ ବେଶ ମଇଲମ ମର୍ଦନ ଅବକାଶ ଲକ୍ଷ୍ମୀନାରାୟଣ ନୀତି ଆଦି କରାଯାଇ ରାଧାରାଣୀଙ୍କ ସୁସଜ୍ଜିତ ବେଶ କରାଯାଇଛି। ମାଆ ରାଧାରାଣୀ ଓ ପ୍ରଭୁ ସାକ୍ଷୀ ଗୋପୀନାଥ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରାତ୍ର ୩ ଟାରୁ ୫.୦୦ ଟା ମଧ୍ୟରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ସକାଳ ଧୂପ, ବାଳଧୁପ ଓ ମଦନ ମୋହନ ଭୋଗ ଆଦି ନୀତି ପରେ ମନ୍ଦିର କର୍ମଚାରୀ ଏବଂ ସେବାୟତ ଦର୍ଶନ କରିଛନ୍ତି । ଏହାପରେ ସକାଳ ୫ ଟା ଠାରୁ ସର୍ବ ସାଧାରଣ ଦର୍ଶନ ଆରମ୍ଭ କରାଯାଇଛି ।
ଅପରପକ୍ଷରେ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇଥିବାବେଳେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ସହିତ ସୁରକ୍ଷା ଦାୟିତ୍ୱରେ ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ସେହିପରି ଠାକୁରଙ୍କ ସଅଳ ନୀତିକାନ୍ତି ସହ ଶୀଘ୍ର ବେଶ ସାରିବାକୁ ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନିବେଦନ କରାଯାଇଛି।