କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନକୁ ଅଁଳା ନବମୀ ଭାବେ ପାଳନ କରାଯାଇ ଏହି ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ । ଓଡ଼ିଶାର ଧର୍ମ ଓ ସଂସ୍କୃତି ଅନୁସାରେ ଅଁଳା ଗଛକୁ ଦେବୀ ରୂପେ ମାନ୍ୟତା ଦିଆଯାଇଛି । ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଥିବା ଏବଂ ଏହି ଅଁଳା ନବମୀରେ ସତ୍ୟ ଯୁଗର ଆରମ୍ଭ ହେଇଥିବା ବିଶ୍ୱାସ କରାଯାଇଥାଏ।
ପବିତ୍ର ଅଁଳା ନବମୀକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଇଥାଏ । ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଏକ ମହାନ ଉତ୍ସବ ହୋଇଥିବା ବେଳେ ଏହି ଅବସରରେ ପୁରୀସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ। ବର୍ଷସାରା ଶାଢ଼ି ଘେରରେ ଘୋଡ଼ାଇ ହୋଇ ରହିଥିବା ରାଧାଙ୍କ ପାଦପଦ୍ମ ଦ୍ଵୟକୁ ବର୍ଷକରେ ଥରେ ଅଁଳା ନବମୀ ଦିନ ଦର୍ଶନ କରନ୍ତି ଭକ୍ତ। ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି। ବିଶ୍ୱାସ କରାଯାଏ ଯେ ଏହି ଦିନ ଦାନ କରିବା ଦ୍ୱାରା ଜଣେ ବ୍ୟକ୍ତି ବର୍ତ୍ତମାନ ତଥା ପରବର୍ତ୍ତୀ ଜୀବନରେ ସୁଖ ପ୍ରାପ୍ତ ହୋଇଥାଏ । କୁହାଯାଏ ଯେ ଏପରି କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ନଷ୍ଟ ହୋଇ ସୁଖ,ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ପୌରାଣିକ ଉପାଖ୍ୟାନ ଅନୁଯାୟୀ, ଥରେ ମା’ ଲକ୍ଷ୍ମୀ ପୃଥିବୀକୁ ଭ୍ରମଣ କରିବାକୁ ଆସିବା ପରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କ ପୂଜା ଏକା ସାଙ୍ଗରେ କରିବାକୁ ଇଚ୍ଛା ପ୍ରକଟ କଲେ। ସେତେବେଳେ ମାତାଙ୍କୁ ସ୍ମରଣ ହେଲା ଯେ ତୁଳସୀ ବିଷ୍ଣୁଙ୍କର ପ୍ରିୟ ସତ କିନ୍ତୁ ଶିବଙ୍କର ନୁହେଁ। ସେତେବେଳେ ନାରଦ ମୁନି ସେଠାରେ ପହଞ୍ଚି ଅଁଳାକୁ ବିଲ୍ୱ ଓ ତୁଳସୀ ସମାହାର ବୋଲି କହିବାରୁ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ଵରୂପ ଭାବି ପୂଜା କଲେ। ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଏକାଠି ମାତାଙ୍କୁ ଦର୍ଶନ ଦେବାପରେ ମାତା ସେହି ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ। ସେହି ଦିନଟି ଅଁଳା ନବମୀ ନାମରେ ବିଦିତ ହେଲା।
କୁହାଯାଏ, ଅଁଳା ନବମୀରେ ଅଁଳା ବୃକ୍ଷକୁ ପୂଜା କରି ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶିବଙ୍କୁ ଭୋଗ ଲଗାଇଲେ ସମଗ୍ର କାର୍ତ୍ତିକ ମାସର ପୂଣ୍ୟ ଗୋଟିଏ ଦିନରେ ପ୍ରାପ୍ତ ହୋଇଥାଏ। ବିଧି ଅନୁସାରେ , ପ୍ରଥମେ ମହିଳାମାନେ ସ୍ନାନ କରି ଅଁଳା ଗଛ ମୂଳକୁ ପରିସ୍କାର କରି ଏହା ମୂଳରେ ଶୁଦ୍ଧ ଜଳ ସହିତ କଞ୍ଚା କ୍ଷୀର ସମର୍ପଣ କରି ପୂଜା କରନ୍ତି। ଏହା ପରେ ନାଲି ସୁତା ଧରି ୮ଥର ଅଁଳା ଗଛର ପରିକ୍ରମା କରି ଏହି ସୁତାକୁ ଗଛରେ ଗୁଡ଼ାନ୍ତି। କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି । ଏହାପରେ ଗଛ ତଳେ ପୂଜାର୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି । ଏହି ଦିନ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।