ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କଂପ୍ଲେକ୍ସରେ ଚାଲିଥିବା ଆଇଟିଏଫ୍ ବିଶ୍ବ ଟେନିସ୍ ଟୁର୍ ଅନ୍ତର୍ଗତ ମେନ୍ସ୨୫ ପ୍ରତିଯୋଗିତା ଚାଲିଥିବା ବେଳେ ଏଥିରେ ଓଡ଼ିଶାର ତାରକା ଖେଳାଳି କବିର ହଂସ ପୁରୁଷ ଯୁଗଳ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ଓଡ଼ିଶା ଟେନିସ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଥିବା ଓଡ଼ିଆ ପୁଅ କବିର ହଂସ ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ଓଡ଼ିଆ ଖେଳାଳି ଭାବେ ବରିଷ୍ଠ ବର୍ଗର ଆଇଟିଏଫ୍ ଉପବିଜେତା ଟ୍ରଫି ହାସଲ କରିଛନ୍ତି।
ସୂଚନାଯୋଗ୍ୟ ଯେ, କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କଂପ୍ଲେକ୍ସ ପରିସରରେ ଚାଲିଥିବା ଆଇଟିଏଫ୍ ବିଶ୍ବ ଟେନିସ୍ ଟୁର୍ ଅନ୍ତର୍ଗତ ମେନ୍ସ୨୫ ପ୍ରତିଯୋଗିତାର ପୁରୁଷ ଯୁଗଳ ବର୍ଗରେ କବିର ଓ ତାଙ୍କ ସାଥୀ ଋଷଭ ଅଗ୍ରୱାଲ ଫାଇନାଲ୍ରେ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ୱେ ଶୀର୍ଷମାନ୍ୟତାପ୍ରାପ୍ତ ରୁଷୀୟ ଯୋଡ଼ି ଆଇଗର ଆଗାଫୋନଭ ଓ ବୋଗଡାନ ବୋବ୍ରୋଭଙ୍କଠାରୁ ଯଥାକ୍ରମେ ୪-୬, ୩-୬ରେ ପରାସ୍ତ ହୋଇଥିଲେ। ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ସେମିଫାଇନାଲ୍ରେ କବିର-ଋଷଭ ୬-୨, ୭-୬ ସେଟ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ବିଷ୍ଣୁ ବର୍ଦ୍ଧନ ଓ ସିଦ୍ଧାନ୍ତ ବନ୍ଥିଆଙ୍କୁ ପରାସ୍ତ କରି ଫାଇନାଲ୍ ରେ ପ୍ରବେଶ କରିଥିଲେ। ତେବେ ମ୍ୟାଚ ଅନୁଷ୍ଠିତ ହେବ ପରେ କଳିଙ୍ଗ ଷ୍ଟାଡିୟମ୍ ସେଣ୍ଟର୍ କୋର୍ଟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କୋଲ୍ ଇଣ୍ଡିଆ ଲିମିଟେଡ୍ର ଅଧ୍ୟକ୍ଷ ପିଏମ୍ ପ୍ରସାଦ, ଟାଇଟଲ୍ ପ୍ରାୟୋଜକ ଏମ୍ସିଏଲ୍ର ସିଏମ୍ଡି ଉଦୟ ଏ କାଓଲେ, ଅର୍ଥ ବିଭାଗ ନିର୍ଦ୍ଦେଶକ ଅଜିତ ବେହୁରା ଅତିଥି ଭାବେ ଯୋଗଦେଇଥିଲେ। ଏହାସହିତ ଓଡ଼ିଶା ଟେନିସ୍ ସଂଘ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ସଂଜୀବ ପଣ୍ଡା, ଆଇଟିଏଫ୍ ପର୍ଯ୍ୟବେକ୍ଷକ ଅଭିଷେକ ମୁଖାର୍ଜୀ, ଓଟିଏ ପରିଚାଳକ ସମ୍ବିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।