ଭୁବନେଶ୍ୱର: ରବିବାର ମାଣ୍ଡିଆ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଆଗକୁ ମାର୍ଗଶିର ମାସ ଆସୁଥିବା ବେଳେ ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ଏହାସହ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ପରିବାର ଲୋକଙ୍କୁ ପରଷିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ ଯଥାଶୀଘ୍ର ଲୋକଙ୍କ ଖାଦ୍ୟ ଥାଳିରେ ମାଣ୍ଡିଆ ପହଞ୍ଚିବା ନେଇ ସୂଚନା ଦେଇଛନ୍ତି। ଏହା ହୋଇପାରିଲେ ସରକାର ତାଙ୍କ ଲକ୍ଷ୍ୟରେ ସଫଳ ହେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ରାଜ୍ୟରେ ସମୁଦାୟ ୧୭୭ ବ୍ଲକ ରେ ମାଣ୍ଡିଆ ଚାଷ ହେଉଥିବା ବେଳେ ବର୍ତ୍ତମାନ ରାଜ୍ୟ ମିଲେଟ ହବ ହେବା ପାଇଁ ପ୍ରକୃଷ୍ଟ ବାତାବରଣ ସୃଷ୍ଟି ହୋଇଥିବା କହିଥିଲେ । ରାଜ୍ୟ ସରକାର ମାଣ୍ଡିଆ ଉତ୍ପାଦନ ଓ ବିକ୍ରି ପାଇଁ ଗୁରୁତ୍ଵ ଦେଉଥିବା ଏବଂ ମାଣ୍ଡିଆ ର ଚାହିଦା ବୃଦ୍ଧି ସହ ଚାଷୀ କିପରି ଆଗ୍ରହ ପ୍ରକାଶ କରିବ ସେ ନେଇ ଯୋଜନା ହେଉଥିବା କହିଥିଲେ। ଭବିଷ୍ୟତରେ ମାଣ୍ଡିଆର ରପ୍ତାନି ବ୍ୟବସ୍ଥା କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ଅଧିକ ମାଣ୍ଡିଆ ଚାଷ ଓ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମଣ୍ଡିଆରେ ଧାନ ଠାରୁ ୧୦ଗୁଣ ଅଧିକ ଖାଦ୍ୟ ତନ୍ତୁ ଏବଂ ଏଥିରେ କ୍ଷୀର ଠାରୁ ୩ ଗୁଣା ଅଧିକ କ୍ୟାଲସିୟମ ରହିଥିବାରୁ ଏହା ଶ୍ରୀ ଅନ୍ନ ସୁପର ଫୁଡର ମାନ୍ୟତା ପାଇଥିବା କହିଥିଲେ।
ଆଗକୁ ରାନ୍ଧଣା ଶୈଳୀ ବଦଳାଇବା ସହ ଏହାକୁ ଅଧିକ ଆଦୃତ କରିବା ପାଇଁ ଫୁଡ୍ ବ୍ଲଗରଙ୍କ ସହାୟତା ନିଆଯିବ ବୋଲି ସୂଚନା ମିଳିଛି। ଏବେ ମିଲେଟରେ ସ୍ନାକ୍ସ ତିଆରି ବି ହେଉଥିବା ବେଳେ ଖୁବ ଶୀଘ୍ର ସରକାରୀ କ୍ୟାଣ୍ଟିନ, ସ୍କୁଲ ଓ ଡାକ୍ତରଖାନାକୁ ଏହାକୁ ଯୋଗାଇ ଦେବାକୁ ବ୍ୟବସ୍ଥା ହେବା ନେଇ ଯୋଜନା ଥିବା କହିଛନ୍ତି ରାଜ୍ୟ ସରକାର।