ଭୁବନେଶ୍ୱର : ଖୁବଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି ଝାଡଖଣ୍ଡ ନିର୍ବାଚନ। ତେବେ ଏହା ପୂର୍ବରୁ ରାଜ୍ୟରେ ନିର୍ବାଚନୀ ପ୍ରଚାର ସରଗରମ ହୋଇପଡିଥିବା ବେଳେ କିଛିଦିନ ପୂର୍ବରୁ ବିଜେପି ପକ୍ଷରୁ ଷ୍ଟାର କ୍ୟାମ୍ପେନର ତାଲିକା ଜାରି ହୋଇଛି । ଏହି ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ସାମିଲ ଥିବା ବେଳେ ସୋମବାରଠାରୁ ୨ ଦିନିଆ ଝାଡଖଣ୍ଡଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗସ୍ତରେ ଥିବା ବେଳେ ସେଠାରେ ସେ ଏକାଧିକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବା ସହିତ ରୋଡ-ଶୋ କରିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡର ଷଢ଼େଇକଳା, ଖରସୁଆଁ ଓ ସିଂହଭୂମିରେ ମୋହନ ମାଝୀ ସଭା କରିବା ନେଇ ସୂଚନା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବେ ଝାଡଖଣ୍ଡ ନିର୍ବାଚନ ପ୍ରଚାର ପାଇଁ ବିଜେପିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିଲା। ସେଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡଖଣ୍ଡରେ ଦୁଇଦିନ ଧରି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଝାଡ଼ଖଣ୍ଡରେ ବିଜେପିର ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଓ ଏକାଧିକ ବିଜେପି ନେତା ଝାଡଖଣ୍ଡ ଗସ୍ତରେ ଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ଗତ ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇ ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପ୍ରଚାର କରିବା ସହିତ ଚାଇବାସାର କୋଲ୍ ହାନ୍ ଯାଇ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇଥିଲେ।