କ୍ୱେବରା: ରବିବାର ଦକ୍ଷିଣ ଆଫ୍ରିକାସ୍ଥିତ କ୍ୱେବରାର ସେଣ୍ଟ ଜର୍ଜ ପାର୍କରେ ଅନୁଷ୍ଠିତ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ୩ ଓ୍ବିକେଟରେ ପରାସ୍ତ ହୋଇଛି ଭାରତ । ତେବେ ଏହି ବିଜୟ ପରେ ଦୁଇ ଦଳ ମଧ୍ୟରେ ସିରିଜ ୧-୧ରେ ସମକକ୍ଷ ରହିଛି ।
ସୂଚନାଯୋଗ୍ୟ ଯେ, ମ୍ୟାଚ ଆରମ୍ଭରେ ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଥିବା ବେଳେ ଗତ ମ୍ୟାଚରେ ଯାଦୁ ଦେଖାଇଥିବା ସଞ୍ଜୁ ସାମସନ ଶୂନରେ ଆଉଟ୍ ହୋଇଥିଲେ । ଏହାପରେ ଅଭିଷେକ ଶର୍ମା ଓ ସୂର୍ଯ୍ୟକୁମାର ଯଥାକ୍ରମେ ୪ ରନ ଲେଖାଏ ହାସଲ କରିଥିଲେ । ତିଳକ ବର୍ମା ମାତ୍ର ୨୦ ରନ କରିଥିବାବେଳେ ଅକ୍ଷର ପଟେଲ ୨୭ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୯ ରନ କରିଥିଲେ । ଏହାସହ ଭାରତ ସମୁଦାୟ ୨୦ ଓଭରରେ ୬ ଓ୍ବିକେଟ ବିନିମୟରେ ୧୨୪ ରନ କରିଥିଲା ।
ଅପରପକ୍ଷରେ, ୧୨୫ ରନର ବିଜୟ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । ଆରମ୍ଭରୁ ଦଳର ପ୍ରଦର୍ଶନ ଭଲ ନ ଥିବା ବେଳେ ମାତ୍ର ୪୪ ରନରେ ଦଳ ୩ ୱିକେଟ୍ ହରାଇଥିଲା । ସେହିପରି ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ବେଳେ ୮୬ ରନ ସ୍କୋରରେ ଘରୋଇ ଦଳ ୭ ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ଶେଷ ଆଡକୁ ଟ୍ରିଷ୍ଟନ ଷ୍ଟବ୍ସ ଓ ଗେରାଲ୍ଡ କୋଟଜି ଅବିଭାଜିତ ଅଷ୍ଟମ ୱିକେଟରେ ୪୨ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ । ଭାରତ ଦ୍ବାରା ରଖାଯାଇଥିବା ୧୨୫ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୯ ଓଭରରେ ୭ ଓ୍ବିକେଟ ହରାଇ ୧୨୮ କରି ହାସଲ କରିନେଇଥିଲା । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ୫ଟି ଓ୍ବିକେଟ ନେଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ, ଗେରାଲ୍ଡ କୋଟଜି, ଆଣ୍ଡିଲ ସିମେଲେନ , ଆଇଡେନ ମାର୍କରାମ ଓ କାବାୟୋମଜି ପିଟର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।