ଜମ୍ମୁ: ନିକଟରେ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହୋଇଥିବା ବେଳେ ପ୍ରଥମ ନିର୍ବାଚିତ ସରକାର ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ତେବେ ଦୀର୍ଘ ୬ ବର୍ଷ ପରେ ଜମ୍ମୁସ୍ଥିତ ବେସାମରିକ ସଚିବାଳୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ ପରିଚାଳନା କରିବା ପାଇଁ ଯାଇଛନ୍ତି। ସୋମବାର ବେସାମରିକ ସଚିବାଳୟ ଜମ୍ମୁରେ ପହଞ୍ଚି ସରକାରଙ୍କ କାର୍ଯ୍ୟ ପରିଚାଳନା କରିଥିବା ନେଇ ସୂଚନା ମିଳିଛି। ଜମ୍ମୁ-କଶ୍ମୀରର ଶୀତକାଳୀନ ରାଜଧାନୀ ଜମ୍ମୁ ହୋଇଥିବାରୁ ଏବେ ସରକାର ଜମ୍ମୁରୁ ଚାଲିବା ନେଇ ସୂଚନା ମିଳିଛି। ସୋମବାର ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ସେମାନଙ୍କ ବିଭାଗୀୟ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ନେଇ ଜଣାପଡିଛି।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ସୋମବାର ସକାଳେ ସଚିବାଳୟରେ ପହଞ୍ଚିବା ପରେ ସଚିବାଳୟ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ବୈଠକ କରି ବିଭାଗଗୁଡ଼ିକର କାର୍ଯ୍ୟର ସମୀକ୍ଷା କରିଥିଲେ। ଦରବାର ମୁଭ୍ ପ୍ରକ୍ରିୟା ଏବେ ବନ୍ଦ ହୋଇଯାଇଥିବା ହେତୁ ପ୍ରଶାସନିକ ସଚିବ ଜମ୍ମୁ ଓ ଶ୍ରୀନଗରରେ ଥିବା ଉଭୟ ସଚିବାଳୟରେ ବସିଛନ୍ତି। ସୋମବାରଠାରୁ ଜମ୍ମୁ ସଚିବାଳୟରେ ପ୍ରଶାସନିକ ସଚିବ ଓ ବିଭାଗୀୟ ମୁଖ୍ୟମାନେ କାର୍ଯ୍ୟ ପରିଚାଳନା କରିବା ନେଇ ସୂଚନା ପ୍ରକାଶ ପାଇଛି।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜମ୍ମୁ ଗସ୍ତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସମୟରେ ମୁଖ୍ୟମନ୍ତ୍ରୀ ଜମ୍ମୁର ବିଭିନ୍ନ ବିଭାଗ ସହ ବୈଠକ କରି ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଥିବା ନେଇ ସୂଚନା ମିଳିଛି। ଜମ୍ମୁ ସଚିବାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ସଚିବାଳୟ ଓ ଏହାର ଆଖପାଖ ଅଞ୍ଚଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ଟ୍ରାଫିକ୍ ବ୍ୟବସ୍ଥା ବଜାୟ ରଖିବାକୁ ଟ୍ରାଫିକ୍ ପୁଲିସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।