ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବାକୁ ଯାଉଛି। ଭାରତୀୟ ନୌସେନାରେ ଯୋଡି ହେବାକୁ ଯାଉଛି ଫ୍ରିଗେଟ ମିଶାଇଲ ଆଇଏନଏସ ତୁସିଲ। ଚଳିତ ମାସ ଶେଷ ସୁଦ୍ଧା ରୁଷ ନିର୍ମିତ ଦୁଇଟି ଫ୍ରିଗେଟ ମିଶାଇଲ ମଧ୍ୟରୁ ପ୍ରଥମଟିକୁ ଭାରତ ଗ୍ରହଣ କରିବାକୁ ଯାଉଛି। ଏହି ଦୁଇଟି ଗାଇଡ୍ କ୍ଷେପଣାସ୍ତ୍ର ହାସଲ କରିବା ଦ୍ୱାରା ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ନେଇ ସୂଚନା ମିଳିଛି। ତେବେ ଭବିଷ୍ୟତରେ ଏହା ଚୀନ୍ ଏବଂ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ହେବାର ସମ୍ଭାବନା ରହିଛି ।
ଅପରପକ୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୪ ହଜାର ଟନ ବିଶିଷ୍ଟ ଏହି ମଲ୍ଟିରୋଲର ଫ୍ରିଗେଟ ଭାରତୀୟ କଣ୍ଟିଜେଣ୍ଟକୁ ହସ୍ତାନ୍ତର କରାଯିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଆଇଏନଏସ ତୁସିଲ ଭାବେ ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ ହେବ ଯାହା ଦେଶର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବ । ଏନେଇ ରାଜନାଥ ସିଂ ଡିସେମ୍ବର ଆରମ୍ଭରେ ସାମରିକ-ବୈଷୟିକ ସହଯୋଗ ପାଇଁ ଭାରତ-ଋଷ ଆନ୍ତଃ ସରକାରୀ ଆୟୋଗର ବୈଠକରେ ଯୋଗଦେବା ପାଇଁ ଋଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।