ନୂଆଦିଲ୍ଲୀ: ବୁଧବାର ଠାରୁ ୪୩ ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇଆଇଟିଏଫ୍) ୨୦୨୪ ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ। ଏହି ମେଳାରେ ପ୍ରାୟ ୩୫୦୦ ବ୍ୟବସାୟୀ ଅଂଶଗ୍ରହଣ କରିବେ। ଦୈନିକ ପ୍ରାୟ ୬୦,୦୦୦, ସପ୍ତାହାନ୍ତ ଓ ଛୁଟି ଦିନରେ ଦୈନିକ ପ୍ରାୟ ଦେଢ଼ ଲକ୍ଷ ଲୋକ ଏହି ମେଳାରେ ଯୋଗ ଦେବେ ବୋଲି ଆକଳନ କରାଯାଇଛି। ତେବେ ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ କେବଳ ବ୍ୟବସାୟୀଙ୍କୁ ପ୍ରବେଶ ଅନୁମତି ମିଳିବ। ସେହିପରି ସାଧାରଣ ଲୋକମାନେ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ସକାଳ ୯.୩୦ରୁ ସନ୍ଧ୍ୟା ୭.୩୦ଟା ପର୍ଯ୍ୟନ୍ତ ବାଣିଜ୍ୟ ବୁଲି ପାରିବେ।
ଅପରପକ୍ଷରେ ଏହି ବାଣିଜ୍ୟ ମେଳା ଯୋଗୁଁ ମଥୁରା ରୋଡ୍, ଭୈରନ ମାର୍ଗ, ରିଙ୍ଗରୋଡ୍, ଶେରଶାହା ରୋଡ୍ ଓ ପୁରୁଣା କିଲା ରୋଡ୍ରେ ଟ୍ରାଫିକ୍ ସମସ୍ୟା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି ହୋଇଛି।
ଏହି ଆଡଭାଇଜରୀ ଅନୁସାରେ, ପ୍ରଗତି ମଇଦାନର ଆଖପାଖରେ ଟ୍ରାଫିକ ବ୍ୟବସ୍ଥିତ କରିବା ପାଇଁ ମଥୁରା ରୋଡ୍ ଏବଂ ଭୈରନ ମାର୍ଗର କୌଣସି ସ୍ଥାନରେ କୌଣସି ଯାନବାହନ ଅଟକିବା କିମ୍ବା ପାର୍କିଂ କରିବାକୁ ଅନୁମତି ନାହିଁ। ସେହିପରି ଶେରଶାହା ରୋଡ, ପୁରୁଣା କିଲା ରୋଡ, ଭଗବାନ ଦାସ ରୋଡ ଓ ତିଲକ ମାର୍ଗରେ ମଧ୍ୟ ଗାଡି ପାର୍କିଂ କରିବାକୁ ଅନୁମତି ନାହିଁ। ଏହି ରାସ୍ତାରେ ଗାଡି ଯଦି ପାର୍କିଂ ହୁଏ ତାହେଲେ ସେହି ଗାଡିଗୁଡ଼ିକୁ ହଟାଇ ଦିଆଯିବ । ଅନୁପଯୁକ୍ତ ପାର୍କିଂ ଏବଂ ଆଇନଗତ ନିର୍ଦ୍ଦେଶ ବିରୁଦ୍ଧାଚରଣ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେହିପରି ପ୍ରଗତି ମଇଦାନରେ ପହଞ୍ଚିବା ପାଇଁ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ଟ୍ରାଫିକ୍ ପୁଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି । ଏହା ସହିତ ମେଟ୍ରୋରେ ଆସୁଥିବା ଲୋକମାନେ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନରୁ ଓହ୍ଲାଇ ୧୦ ନମ୍ବର ଗେଟ୍ ଦେଇ ଆଇଟିପିଓରେ ପ୍ରବେଶ କରିପାରିବେ କିମ୍ବା ଗେଟ୍ ୬ ଓ ୪ର ପ୍ରବେଶ ଦ୍ୱାର ଦେଇ ଆସିପାରିବା ନେଇ ସୂଚନା ଦେଇଛି। ଦିଲ୍ଲୀ କିମ୍ବା ଏନସିଆରରୁ ଆସୁଥିବା ଏବଂ ଡିଟିସି ବସ୍ ବ୍ୟବହାର କରୁଥିବା ଲୋକମାନେ ମଥୁରା ରୋଡ୍ ଏବଂ ଭୈରନ୍ ମାର୍ଗରେ ଥିବା ବସ୍ ଷ୍ଟାଣ୍ଡରେ ଓହ୍ଲାଇପାରିବେ ବୋଲି କର୍ତୃପକ୍ଷ କହିଛନ୍ତି।