ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ । ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ।
ସୂଚନାଯୋଗ୍ୟ ଯେ, ଓଡିଶାକୁ ଉତ୍ତର-ପୂର୍ବ ଦିଗରୁ ପବନ ପ୍ରବାହିତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଦ୍ରତା ରହୁଛି । ଏହାର ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ତାପମାତ୍ରା, ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସହିତ ରାତି ତାପମାତ୍ରା ହ୍ରାସ ପାଉନଥିବା କହିଛି ପାଣିପାଗ ବିଭାଗ। କିନ୍ତୁ ଶୁକ୍ରବାରଠାରୁ ପବନର ଦିଗ ପରିବର୍ତ୍ତନ ହେବ । ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ବଢିବା ଫଳରେ ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆସନ୍ତା ୧୫ ତାରିଖରୁ ୨୧ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୨ ରୁ ୧୪ ଡିଗ୍ରୀକୁ ହ୍ରାସ ପାଇବାସହ ସଂଲଗ୍ନ ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରା ୧୪ ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ । ପରବର୍ତ୍ତୀ ସପ୍ତାହରେ ୨୨ ରୁ ୨୮ନଭେମ୍ବର ମଧ୍ୟରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ସେହିପରି ଦୁଇ ସପ୍ତାହ ପରେ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇ ଶୀତର ପ୍ରକୋପ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।