ଓ୍ବାଶିଂଟନ: କିଛି ଦିନ ପୂର୍ବରୁ ଆମେରିକାରେ ତାଣ୍ଡବ ରଚିଥିଲା ସାଇକ୍ଲୋନିକ ଷ୍ଟର୍ମ ହେଲେନ । ଫ୍ଲୋରିଡାରେ ଏହା ବ୍ୟାପକ କ୍ଷତି ଘଟାଇଥିବା ବେଳେ ଏବେ ଆଉ ଏକ ଟ୍ରପିକାଲ ଷ୍ଟର୍ମ ଆସିବା ନେଇ ସତର୍କ ସୂଚନା ଜାରି କରିଛି ଜାତୀୟ ପାଣିପାଗ କେନ୍ଦ୍ର। ଏହାର ନାମ ‘ସାରା’ ହୋଇଥିବା ବେଳେ ଏହା ଯୋଗୁଁ ଭୟଙ୍କର ବନ୍ୟା, ବର୍ଷା ଏବଂ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ଏହି ଝଡ଼ ଉତ୍ତର ହଣ୍ଡୁରାସର ଉପକୂଳରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ଜାରି ହୋଇଛି। ଏହା ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ସର୍ବାଧିକ ୪୫ ମାଇଲ ବେଗରେ ଗତି କରୁଛି। ତେବେ ଧୀରେ ଧୀରେ ଏହାର ବେଗ ପରିବର୍ତ୍ତନ ହେବ।
ଅପରପକ୍ଷରେ, ପୂର୍ଵରୁ ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁସାରେ ଏହି ଝାଡା ‘ସାରା’ ମେକ୍ସିକୋର ପୂର୍ବ ଗଲ୍ଫ ଅଞ୍ଚଳକୁ ପ୍ରଭାବିତ କରିବା ସମ୍ଭାବନା ଥିଲା । କିନ୍ତୁ ସଦ୍ୟତମ ସୂଚନା ଅନୁଯାୟୀ ଏହି ଝଡ଼ କେନ୍ଦ୍ରୀୟ ଆମେରିକା ଏବଂ ମେକ୍ସିକୋର ୟୁକାଟାନ ଉପଦ୍ୱୀପରେ ଲ୍ୟାଣ୍ଡଫଲ କରିବ।
ସୂଚନାଯୋଗ୍ୟ ଯେ, ‘ସାରା’ ୨୦୨୪ ମସିହାରେ ଆଟଲାଣ୍ଟିକ ଝଡ଼ର ୧୮ତମ ନାମିତ ଝଡ଼ ହୋଇଥିବା ବେଳେ ନଭେମ୍ବର ମାସର ତୃତୀୟ ନାମିତ ଝଡ଼। ଏହି ଝଡ ପାଇଁ ହଣ୍ଡୁରାସ ଏବଂ ନିକାରାଗୁଆର କିଛି ଅଞ୍ଚଳକୁ ପାଇଁ ସତର୍କ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବରେ ଗୁରୁବାରଠାରୁ ଉଭୟ ଦେଶରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି ଏବଂ ଏହା ଆଗକୁ ଆହୁରି ତୀବ୍ର ହେବା ନେଇ ସୂଚନା ମିଳିଛି।
ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଏହି ଝଡ଼ରେ ପ୍ରବଳ ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ। ଫଳରେ ସେଠାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଉତ୍ତର ହଣ୍ଡୁରାସର କିଛି ଅଂଚଳରେ ୩୦ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ପୂର୍ବ ମେକ୍ସିକୋଠାରୁ ନିକାରାଗୁଆ ପର୍ଯ୍ୟନ୍ତ ମଧ୍ୟ ଆମେରିକାର ଅନ୍ୟାନ୍ୟ ଅଂଶ ସାରା ଠାରୁ ୧୫ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହୋଇପାରେ।