ଝାନ୍ସି: ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲ ପରିସରରେ ଥିବା ଶିଶୁରୋଗ ବିଭାଗରେ ନିଆଁ ଲାଗି ୧୦ ଜଣ ଚିକିତ୍ସାଧୀନ ଶିଶୁଙ୍କ ପ୍ରାଣହାନୀ ଘଟିଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେଶ କରାଯାଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ହସ୍ପିଟାଲର ଥିବା ୨ଟି ଶିଶୁରୋଗ ୱାର୍ଡରୁ ଗୋଟିଏ ୱାର୍ଡର ଏନଆଇସିୟୁରେ ପ୍ରଥମେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ସତର୍କ ଘଣ୍ଟି ବାଜି ନଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବ ହୋଇଥିଲା। ତେବେ ତୁରନ୍ତ ହସ୍ପିଟାଲ କର୍ମଚାରୀ ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଶିଶୁ ରୋଗ ୱାର୍ଡରେ ଥିବା ୩୭ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଜିଲାପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟ ତଦାରଖ କରିଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରକାଶଥାଉ କି, ବୁନ୍ଦେଲଖଣ୍ଡ ଅଞ୍ଚଳର ପ୍ରସୂତି ଓ ନବଜାତଙ୍କ ଚିକିତ୍ସା ପାଇଁ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲ ଏକ ପ୍ରମୁଖ ସ୍ବାସ୍ଥ୍ୟସେବା କେନ୍ଦ୍ର ଅଟେ।