ଭୁବନେଶ୍ଵର,: ଉଧାର ଟଙ୍କାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଉଧାର ଟଙ୍କା ନ ଦେବାରୁ ବାକି ନେଇଥିବା ବ୍ୟକ୍ତିଙ୍କୁ ଲୁହା ରଡରେ ପିଟି ପିଟି ମାରି ଦେଲା ଅଭିଯୁକ୍ତ। ଏହି ହତ୍ୟାକାଣ୍ଡ ଗୁଜରାଟରେ ଘଟିଥିବା ବେଳେ ଅଭିଯୁକ୍ତକୁ ଓଡିଶାରୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳର ମନୋଜ ସାହୁ ସୁରଟରେ ଏକ ଭେରାଇଟି ଷ୍ଟୋର କରିଥିଲେ । କଟକର ଗୁରୁଚରଣ ପ୍ରଧାନଙ୍କଠାରୁ ମନୋଜ କିଛି ଟଙ୍କା ପାଇବାର ଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟ ବିବାଦ ଦେଖାଦେଇଥିଲା । ଏହାକୁ କେନ୍ଦ୍ର କରି ଗତ ଅକ୍ଟୋବର ୧୦ ତାରିଖରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ଗୁରୁଚରଣଙ୍କୁ ଲୁହା ରଡରେ ପିଟି ହତ୍ୟା କରିଥିଲା। ଏହାପରେ ମୃତଦେହକୁ ୱାଶିଂମେସିନରେ ଲୁଚାଇ ଦେଇ ଫେରାର ହୋଇ ଯାଇଥିଲା। ତେବେ ସପ୍ତାହେ ପରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଂଚି ସିସିଟିଭି ଫୁଟେଜ ଯାଞ୍ଚ ସହିତ ମାମଲାର ତଦନ୍ତ ଆରମ୍ଭ କରିଥିଲା । ତେବେ ମାମଲା ରୁଜୁର ପ୍ରାୟ ମାସେ ପରେ ଓଡ଼ିଶା ପଳାଇ ଆସିଥିବା ମନୋଜକୁ ପୋଲିସ୍ ଆରଡି ଫାଣ୍ଡି ଅଞ୍ଚଳରୁ ଗିରଫ କରିଛି ।
ମନୋଜ ଭୁବନେଶ୍ୱର ସମେତ କୋଣାର୍କ, ଦିଲ୍ଲୀ ଆଦି ଅଞ୍ଚଳରେ ଦୀର୍ଘଦିନ ହେବ ଘୂରି ବୁଲୁଥିବା ନେଇ ମୋବାଇଲ ଟ୍ରାକିଙ୍ଗ ମାଧ୍ୟମରେ ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ପୋଲିସ୍ ଖୋଜାଖୋଜି ଜାରି ରଖିଥିଲା। ଗତ ୪/୫ଦିନ ହେବ ଅଭିଯୁକ୍ତ ଆରଡିରେ ରହି ଆସୁଥିବା ଗୁଜରାଟ ପୁଲିସ ଖବର ପାଇ ଭଦ୍ରକ ପୁଲିସ୍କୁ ସୂଚନା ଦେଇଥିଲା। ଏହାପରେ ଗୁଜରାଟରୁ ଆସିଥିବା ପୁଲିସ୍ ଟିମ୍ ଆରଡିରେ ପହଞ୍ଚି ସ୍ଥାନୀୟ ଫାଣ୍ଡି ପୁଲିସର ମିଳିତ ସହଯୋଗରେ ଅଭିଯୁକ୍ତଙ୍କୁ କାବୁ କରି ଗୁଜରାଟ ନେଇ ଯାଇଛି।