ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ୧୮ତମ ସଂସ୍କରଣ ପୂର୍ବରୁ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ଆନୁଷ୍ଠାନିକ ଭାବେ ମେଗା ନିଲାମ ପାଇଁ ତାରିଖ ଘୋଷଣା କରିଛି । ଆସନ୍ତା ୨୪ ଓ ୨୫ତାରିଖରେ ସାଉଦି ଆରବର ଜେଦ୍ଦା ସହରରେ ଖେଳାଳିଙ୍କ ଅକ୍ସନ ହେବ। ସେଥିପାଇଁ ଗତ ଅକ୍ଟୋବର ୩୧ରେ ଆଇପିଏଲର ସମସ୍ତ ୧୦ଟି ଫ୍ରାଞ୍ଚାଇଜ ଦଳ ସେମାନଙ୍କ ରିଟେନ୍ ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ତେବେ ସମସ୍ତ ଦଳରେ ମୋଟ ୨୦୪ ଖେଳାଳିଙ୍କ ସ୍ଥାନ ଖାଲି ପଡ଼ିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ-୨୦୨୫ର ପ୍ରଥମ ମ୍ୟାଚ୍ ଖେଳିବେନି ବୋଲି ଜଣାପଡ଼ିଛି। ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଆଇପିଏଲ-୨୦୨୪ରେ ମୁମ୍ବାଇର ଅଧିନାୟକତ୍ବ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ୩ଥର ସ୍ଲୋଓଭର ରେଟ୍ କରିଥିଲେ। ଏହି କାରଣରୁ ତାଙ୍କୁ ଆଇପିଏଲ-୨୦୨୫ର ପ୍ରଥମ ମ୍ୟାଚରୁ ବାଦ୍ ଦେଇଛି ବିସିସିଆଇ। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକତ୍ବ କରିବେ ବୋଲି ଜଣାପଡ଼ିଛି।
ପ୍ରକାଶଥାଉ କି, ମୁମ୍ବାଇର ‘ରିଟେନ୍ ଲିଷ୍ଟ’ ଅନୁସାରେ ଜସପ୍ରୀତ ବୁମରାଙ୍କୁ ୧୮ କୋଟି, ସୂର୍ଯ୍ୟକୁମାର ଯାଦବ ୧୬.୩୫କୋଟି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୬.୩୫କୋଟି, ପୂର୍ବତନ ଅଧିନାୟକ ରୋହିତ ଶର୍ମା ୧୬.୩୦କୋଟି ଓ ତଳକ ବର୍ମାଙ୍କୁ ୮କୋଟିରେ ‘ରିଟେନ୍’ କରିଥିଲା।