ଗରିଆବନ୍ଧ: ଓଡ଼ିଶା ଛତିଶଗଡ ସୀମାରେ ଦୁଇ ରାଜ୍ୟ ପୋଲିସର ମିଳିତ କୁମ୍ବିଂ ଅପରେସନ ସମୟରେ ସୁରକ୍ଷା ବାହିନୀକୁ ସଫଳତା ମିଳିଛି। ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ କ୍ୟାମ୍ପ ସମେତ ବନ୍ଧୁକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି।
ସୂଚନାଯୋଗ୍ୟ ଯେ, ସୁରକ୍ଷାକର୍ମୀମାନେ ଛତିଶଗଡର ଗରିଆବନ୍ଧ ଜିଲ୍ଲା ଯୁଗାଡ ଥାନା ଅନ୍ତର୍ଗତ ଅମାଡ଼ ଜଙ୍ଗଲରେ ମାଓବାଦୀମାନେ ଥିବା ସୂଚନା ପାଇଥିଲେ। ଏହାପରେ ଛତିଶଗଡ଼ ପୋଲିସର ଡିଆରଜି, କୋବ୍ରା ୨୦୭ ବାଟାଲିୟନ, ସିଆରପିଏଫ ୨୧୧ ଓ ୬୫ ବାଟାଲିୟନ ସହ ଓଡ଼ିଶାର ନୂଆପଡା ଓ ନବରଙ୍ଗପୁର ପୁଲିସର ଏସଓଜିର ଏକ ମିଳିତ ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ସେଠାରେ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ଏଠାରୁ ବନ୍ଧୁକ ସମେତ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଥିଲା।
ପ୍ରକାଶଥାଉ କି, ବୁଧବାର ଛତିଶଗଡ଼ରୁ ଓଡ଼ିଶା ସୀମାକୁ ପଶୁଥିବା ବେଳେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ମାଲକାନଗିରି ଏମ୍ ଭି-୭୯ ଜିନେଲଗୁଡ଼ା ନିକଟରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଡିଭିଏଫ୍ କମାଣ୍ଡୋ ଆହତ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଥିଲା। ଏହାପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ କ୍ୟାମ୍ପ ଛାଡି ପଳାଇଥିଲେ।