ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ପାଳନ ହେବାକୁ ଯାଉଛି ସମ୍ବିଧାନ ଦିବସ। ତେବେ ଏହାର ଅବ୍ୟବହିତ ପୂର୍ବରୁ ଏକ ପଦଯାତ୍ରା ଆୟୋଜନ କରିଛନ୍ତି କେନ୍ଦ୍ର ସରକାର। ‘ମେରା ସମ୍ବିଧାନ, ମେରା ସ୍ୱାଭିମାନ’ ଏହି ପଦଯାତ୍ରାର ବିଷୟବସ୍ତୁ ହୋଇଥିବା ବେଳେ ଏହାକୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ନେତୃତ୍ୱ ନେବେ। ନୂଆଦିଲ୍ଲୀ ଠାରେ ଏହି ପଦଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ଭାରତର ଗଣତାନ୍ତ୍ରିକ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରାଯିବ।
ଅପରପକ୍ଷରେ ଆସନ୍ତା ଏକ ବର୍ଷ ଯାଏଁ ଦେଶର ବିଭିନ୍ନ ଅଞ୍ଚଳରେ ସମ୍ବିଧାନ ଦିବସ ପଦଯାତ୍ରାକୁ ଆୟୋଜନ କରିବାକୁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଏହି ପଦଯାତ୍ରା ଭାରତୀୟ ସମ୍ବିଧାନର ମୂଲ୍ୟବୋଧ, ଏହାର ପ୍ରଧାନ ନୀତି ସମ୍ପର୍କରେ ଯୁବବର୍ଗଙ୍କ ମନରେ ଆଗ୍ରହ ଏବଂ ସଚେତନ ସୃଷ୍ଟି ଲାଗି ଉଦ୍ଦିଷ୍ଟ ହୋଇଥିବା ବେଳେ ଆସନ୍ତା ୨୫ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ। ଏହି ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସଦସ୍ୟ, ସାଂସଦ, ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ। ଏହା ସହିତ ସମ୍ବିଧାନ ଦିବସ ଅବସରରେ ଭାରତର ସାମ୍ବିଧାନିକ ଯାତ୍ରାକୁ ଆଧାର କରି ଏକ ପ୍ରଦର୍ଶନୀ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି।
କ୍ରୀଡ଼ା ଓ ଯୁବ ବ୍ୟାପାର ପକ୍ଷରୁ ଆୟୋଜିତ ଏହି ପଦଯାତ୍ରା ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡ଼ିୟମରୁ ଆରମ୍ଭ ହୋଇ କର୍ତ୍ତବ୍ୟପଥ, ଇଣ୍ଡିଆ ଗେଟ ଦେଇ ପୁଣିଥରେ ଷ୍ଟାଡିୟମକୁ ଫେରିବ। ଏଥିରେ ପ୍ରାୟତଃ ୧୦ ହଜାର ଯୁବକ ଅଂଶଗ୍ରହଣ କରିବେ।