ଭୁବନେଶ୍ବର : ଜାତୀୟ ବ୍ୟାଡମିଣ୍ଟନରେ ଓଡ଼ିଆ ଖେଳାଳିଙ୍କୁ ମିଳିଛି ବଡ଼ ସଫଳତା । ମିକ୍ସଡ ଡବଲରେ ଦମଦାର ପ୍ରଦର୍ଶନ ପାଇଁ ଓଡ଼ିଆ ଝିଅ ବିଶାଖା ଟୋପୋ ନୂଆ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାର କୌଣସି ଖେଳାଳି ୧୯ ବର୍ଷରୁ କମ୍ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଚାମ୍ପିଅନ ହୋଇଛନ୍ତି । ମିଜୋରାମର ସାଙ୍ଗା ଓ ଓଡ଼ିଶାର ବିଶାଖା ମିକ୍ସ ଡବଲ୍ସରେ ଯୋଡି ଭାବେ ଭାଗ ନେଇ ଚାମ୍ପିଅନ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପ୍ରଦେଶର ବି. ଆର୍. ଆରିଗେଲା ଓ ତେଲେଙ୍ଗାନାର କେ ଭେନ୍ନାଲାଙ୍କ ଯୋଡ଼ି ସହ ମିଜୋରାମର ସାଙ୍ଗା ଓ ଓଡ଼ିଶାର ବିଶାଖାଙ୍କର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ତେବେ ବିଶାଖା ଓ ସାଙ୍ଗାଙ୍କ ଯୋଡ଼ି ୨୧-୧୬, ୧୦-୨୧ ଓ ୨୧-୧୮ରେ ବିଜୟ ହୋଇ ଟ୍ରଫି ହାସଲ କରିଥିଲେ । ଦୁହେଁ ପ୍ରଥମ ସେଟ୍ ଜିତିବା ପରେ ଆରିଗେଲା ଓ ଭେନ୍ନାଲାଙ୍କ ଯୋଡ଼ି ଦ୍ବିତୀୟ ସେଟ୍ ଜିତିଥିଲେ । ଫଳରେ ୩ୟ ତଥା ଅନ୍ତିମ ସେଟ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । କିନ୍ତୁ ଦମଦାର ପ୍ରଦର୍ଶନ ଯୋଗୁଁ ବିଶାଖା ଏବଂ ତାଙ୍କ ସାଥୀ ଫାଇନାଲ ମ୍ୟାଚ୍ ଜିତି ଟ୍ରଫି ହାସଲ କରିଥିଲେ ।