ହାରାରେ: ୱେଷ୍ଟଇଣ୍ଡିଜରେ ଆୟୋଜିତ ଘରୋଇ ସୁପର୫୦ କପ୍ ଶେଷ ହୋଇଛି । ତେବେ ଏଥିରେ କୋଣସି ବିଜେତା ଦଳର ନାମ ଘୋଷଣା କରାଯାଇନାହିଁ । ସୂଚନାଯୋଗ୍ୟ ଯେ କ୍ରିକେଟ ୱେଷ୍ଟଇଣ୍ଡିଜର ନିୟମ ଅନୁଯାୟୀ ପାଣିପାଗ ଭଳି କାରଣରୁ ଫାଇନାଲ ମ୍ୟାଚ ଯଦି ବ୍ୟାହତ ହୁଏ ତେବେ ଟ୍ରଫିକୁ ଉଭୟ ଫାଇନାଲିଷ୍ଟଙ୍କ ମଧ୍ୟରେ ଭାଗୀଦାର କରାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାରବାଡୋସ ପ୍ରାଇଡ ଏବଂ ଜାମାଇକା ସ୍କର୍ପିଅନ୍ସ ଉଭୟ ଦଳ ଖେଳିବାକୁ ଥିବାବେଳେ ସେମାନଙ୍କର ଅଧିନାୟକମାନେ ଟସ୍ ସମୟରେ ଉପସ୍ଥିତ ନଥିଲେ ।
ପ୍ରାଥମିକ ସ୍ତରରେ ଏହି ମ୍ୟାଚ ପ୍ରତ୍ୟେକ ପାଳି ୫୦ ଓଭର ଖେଳାଯିବାକୁ ଥିବାବେଳେ ପାଗ ଖରାପ ହୋଇଥିଲା । ପରେ ମ୍ୟାଚକୁ ପ୍ରତ୍ୟେକ ପାଳି ୨୦ ଓଭର ବିଶିଷ୍ଟ ସ୍ଥିର କରାଯାଇଥିଲା । ଏ ସମ୍ପର୍କରେ ଦୁଇ ଦଳକୁ ଅବଗତ କରାଯାଇ ଟସ୍ ନିମନ୍ତେ ସମୟ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ପରିସ୍ଥିତି ଖେଳିବା ଉପଯୋଗୀ ରହିଛି ବୋଲି ଅମ୍ପାୟାର ଏବଂ ମ୍ୟାଚ ରେଫରୀଙ୍କ ଘୋଷଣା ସତ୍ତ୍ୱେ ଉଭୟ ଦଳର ଅଧିନାୟକ ଟସ୍ ପାଇଁ ପଡିଆକୁ ଓହ୍ଲାଇ ନଥିଲେ । ଏପରିକି ସେମାନେ ଖେଳିବାକୁ ମନା କରିଦେଇଥିଲେ । ଏହି କାରଣରୁ କ୍ରିକେଟ ୱେଷ୍ଟଇଣ୍ଡିଜ ପକ୍ଷରୁ କୋ÷ଣସି ବିଜେତା ଦଳଙ୍କ ନାମ ଘୋଷଣା କରାଯାଇପାରିନଥିଲା । ସୂଚନାଯୋଗ୍ୟ ଯେ ଆଠଟି ଦଳକୁ ନେଇ ୱେଷ୍ଟଇଣ୍ଡିଜ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି ।