ଢାକା, ୨୬|୧୧: ବାଂଲାଦେଶରେ ଦିନକୁ ଦିନ ହିନ୍ଦୁବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ସେଠାରେ ସରକାର ପରିବର୍ତ୍ତନ ହେବାଠାରୁ ହିନ୍ଦୁଙ୍କ ଉପରେ ଲଗାତର ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ଏହାମଧ୍ୟରେ ହିନ୍ଦୁ ଶୋଭା ଯାତ୍ରା କରିଥିବାରୁ ବାଂଲାଦେଶୀ ହିନ୍ଦୁ ସନ୍ଥ ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣା ଦାସ ପ୍ରଭୁଙ୍କୁ ସୋମବାର ଗିରଫ କରାଯାଇଥିଲା । ତାଙ୍କ ବିରୁଦ୍ଧରେ ପୋଲିସ ମିଥ୍ୟା ରାଜଦ୍ରୋହ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ଏ ନେଇ କୋଲକାତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ ଜରିଆରେ ପୋଷ୍ଟ କରିଥିଲେ। ତେବେ ମଙ୍ଗଳବାର ଚିତାଗୋଙ୍ଗର ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏହାପରେ ଢାକା ସମେତ ଦେଶର ଅନେକ ସ୍ଥାନରେ ହିନ୍ଦୁ ଧର୍ମାବଲମ୍ବୀ ମାନେ ବିଦ୍ରୋହ କରୁଥିବା ଜଣା ପଡିଛି। ଏଥିରେ ଏକାଧିକ ଆହତ ହୋଇଛନ୍ତି।
ପ୍ରକାଶଥାଉ କି, ବାଂଲାଦେଶର ପୁଣ୍ଡରୀକ ଧାମର ସଭାପତି ଚିନ୍ମୟ କୃଷ୍ଣା ଦାସ ବ୍ରହ୍ମଚାରୀଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଉ ନ ଥିବା ବେଳେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ ସେ ଲଗାତର ବିରୋଧ କରି ଆସୁଥିଲେ । ଏହା ସହିତ ସେ ନିକଟରେ ଏକ ହିନ୍ଦୁ ଶୋଭାଯାତ୍ରା ମଧ୍ୟ କରିଥିଲେ । ସେଥିପାଇଁ ଢାକା ପୁଲିସ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରିଥିଲା । ତେବେ ସୋମବାର ତାଙ୍କୁ ଗିରଫ କରି ଢାକା ପୋଲିସର ଗୁଇନ୍ଦା ବିଭାଗ ଏକ ଅଜ୍ଞାତ ସ୍ଥାନରେ ରଖିଥିବା କୋଲକାତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ କହିଥିଲେ ।